ପଶ୍ଚିମବଙ୍ଗ: ଆନ୍ଦୋଳନରତ ଜୁନିଅର ଡାକ୍ତରଙ୍କୁ ଭେଟିବାକୁ ସ୍ୱାସ୍ଥ୍ୟଭବନରେ ପହଞ୍ଚିଲେ ମମତା ବାନାର୍ଜୀ

'ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବଡ଼ ଭଉଣୀ ଭାବେ ଭେଟିବାକୁ ଆସିଛି' ବୋଲି ମମତା କହିଛନ୍ତି।

ସମସ୍ୟାର ସମାଧାନ ପାଇଁ ଏହା ମୋର ଶେଷ ପ୍ରୟାସ

ନୂଆଦିଲ୍ଲୀ, ୧୪/୦୯: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ସହ ଘଟିଥିବା ଲୋମହର୍ଷଣକାରୀ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନରତ ଜୁନିଅର ଡାକ୍ତରମାନଙ୍କୁ ଭେଟି ଆଲୋଚନା କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଥିଲେ ମଧ୍ୟ ଜୁନିଅର ଡାକ୍ତରମାନେ ତାଙ୍କୁ ଭେଟିନଥିଲେ। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆନ୍ଦୋଳନ ହେଉଥିବା ସ୍ଥାନ ସ୍ୱାସ୍ଥ୍ୟ ଭବନରେ ପହଞ୍ଚି ଆନ୍ଦୋଳନରତ ଜୁନିଅର ଡାକ୍ତରମାନଙ୍କୁ ଭେଟିଥିଲେ। କିନ୍ତୁ ଦୁଇ ପକ୍ଷ ବୈଠକ କରି ସମସ୍ୟାର ସମାଧାନ ପାଇଁ ସମର୍ଥ ହୋଇ ପାରିନଥିଲେ।

ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଇକ୍ ଧରି ବିକ୍ଷୋଭକାରୀଙ୍କ ସହ କଥା ହେବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଚାରିପାଖରେ ପ୍ରବଳ ଜନସମାଗମ ଭିତରେ ବିକ୍ଷୋଭକାରୀମାନେ ଆନ୍ଦୋଳନ ଜାରି ରଖିଥିବା ଦେଖା ଦେଇଛି।

ଆନ୍ଦୋଳନରତ ଡାକ୍ତରମାନଙ୍କ ସହ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ଆପଣମାନେ ଭାବୁଛନ୍ତି ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମୋର ଘନିଷ୍ଠ। କିନ୍ତୁ ପ୍ରକୃତରେ ତାହା ନୁହେଁ। ସେମାନଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ। ଏଠାରେ ଆନ୍ଦୋଳନ କରୁଥିବା କୌଣସି ଡାକ୍ତରଙ୍କ ବିରୋଧରେ ମୁଁ କୌଣସି କାର୍ଯ୍ୟାନୁଷ୍ଠାନ ନେବି ନାହିଁ। ମୁଁ ଜାଣେ ଆପଣମାନେ ବହୁତ କାମ କରୁଛନ୍ତି। ଆପଣମାନଙ୍କ ବିନା ବହୁ ଲୋକ ମୃତ୍ୟୁବରଣ କରିଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ ପୁଣି ଥରେ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରୁଛି। ଆପଣମାନେ ବର୍ଷାରେ ରାସ୍ତାରେ ବିକ୍ଷୋଭ କରୁଛନ୍ତି, ମୁଁ ନିଦ୍ରାହୀନ ରାତି ବିତାଉଛି। ମୁଁ ଏଠାକୁ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ଆପଣମାନଙ୍କ ବଡ଼ ଭଉଣୀ ଭାବରେ ଅନୁରୋଧ କରିବାକୁ ଆସିଛି। ମୁଁ ମଧ୍ୟ ଦିନେ ଛାତ୍ର ଆନ୍ଦୋଳନ କରିଥିଲି। ୨୬ ଦିନ ଆନ୍ଦୋଳନ କରିବା ପରେ ବି ତତ୍କାଳୀନ ଶାସକ ଦଳର କେହି ମୋତେ ଭେଟିବାକୁ ଆସିନଥିଲେ। ଏହି ସମସ୍ୟାର ସମାଧାନ ପାଇଁ ମୋ ତରଫରୁ ଏହା ଶେଷ ପ୍ରୟାସ ବୋଲି ମମତା କହିଛନ୍ତି।