ରାଜ୍ୟବ୍ୟାପୀ ‘ସୁଭଦ୍ରା ସ୍ୱାଗତ ପଦଯାତ୍ରା’ ଆରମ୍ଭ

ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧ ଟଙ୍କା

ଭୁବନେଶ୍ୱର, ୧୫/୦୯: ସାରା ରାଜ୍ୟରେ ଆଜି ଅନୁଷ୍ଠିତ ହେଉଛି ସୁଭଦ୍ରା ସ୍ୱାଗତ ପଦଯାତ୍ରା। ଭୁବନେଶ୍ବରର ୟୁନିଟ୍ ୩ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ୱବିଦ୍ୟାଳୟ ଛକ ପର୍ଯ୍ୟନ୍ତ ମଧ୍ୟ ହୋଇଯାଇଛି ସୁଭଦ୍ରା ସ୍ୱାଗତ ପଦଯାତ୍ରା। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେଭି ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂହ, ଭୁବନେଶ୍ୱର ମେୟର ସୁଲଚନା ଦାସଙ୍କ ସମେତ ବହୁ ବିଶିଷ୍ଟ ନେତା ଯୋଗ ଦେଇଥିଲେ।

ସୁଭଦ୍ରା ଯୋଜନା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜିଠୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ସୁଭଦ୍ରା ସ୍ୱାଗତ ପଦଯାତ୍ରା। ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଆଜି ସାରା ଓଡ଼ିଶାରେ ପ୍ରାୟ ୧୦ ହଜାର ପଦଯାତ୍ରା ଅନୁଷ୍ଠିତ ହେଉଛି। ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଆଶାକର୍ମୀମାନେ ଏହି ପଦଯାତ୍ରାର ନେତୃତ୍ୱ ନେଇ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିଛନ୍ତି। ଏହି ବ୍ୟତୀତ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ପଠାଯାଇଛି। ଏବେ ଯାଏଁ ୬୦ ଲକ୍ଷ ମହିଳା ଆବେଦନ କରି ସାରିଥିବା ବେଳେ ୧୭ ତାରିଖରେ ପ୍ରଥମ କିସ୍ତି ବଣ୍ଟନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ।