ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିୱାଲ

ଆସନ୍ତା ଦୁଇ ପରେ ବିଧାୟକ ଦଳ ବୈଠକରେ ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ।

ସାଧାରଣ ଜନତାଙ୍କ ହାତରେ ଦିଲ୍ଲୀର ଭବିଷ୍ୟତ: କେଜ୍ରିୱାଲ

ନୂଆଦିଲ୍ଲୀ, ୧୫/୦୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିୱାଲ। ଆସନ୍ତା ଦୁଇ ଦିନ ମଧ୍ୟରେ ବିଧାୟକ ଦଳ ବୈଠକ ବସି ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ। ଆଜି ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।

ମଦ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ତିହାର ଜେଲରୁ ମୁକୁଳିବା ପରେ ଆଜି ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିଥିଲେ କେଜ୍ରିୱାଲ। କେଜ୍ରିୱାଲ କହିଛନ୍ତି, ଦୁଇ ଦିନ ପରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି। ଲୋକମାନେ ରାୟ ନଦେବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ। ମୁଁ ପ୍ରତ୍ୟେକ ଘର ଓ ଗଳିକୁ ଯାଇ ଲୋକମାନଙ୍କ ରାୟ ବୁଝିବି। ଯଦି ଲୋକମାନେ ଚାହିଁବେ ଓ କହିବେ ମୁଁ ଦୁର୍ନୀତିରେ ଲିପ୍ତ ନାହିଁ, ତାହାଲେ ମୁଖ୍ୟମନ୍ତ୍ରୀ ପଦରେ ବସିବି।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀର ଭବିଷ୍ୟତ ଜନତା ହିଁ ନିର୍ଦ୍ଧାରଣ କରିବେ। ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଆଗାମୀ ଦୁଇ ଦିନ ମଧ୍ୟରେ ହେବାକୁ ଥିବା ବିଧାୟକ ଦଳ ବୈଠକରେ ଦଳର ଜଣେ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯିବ। ୨୦୨୫ ଫେବ୍ରୁଆରିରେ ହେବାକୁ ଥିବା ନୂଆଦିଲ୍ଲୀ ନିର୍ବାଚନକୁ ଆଗୁଆ କରିବାକୁ କେଜ୍ରିୱାଲ ଦାବି କରିଛନ୍ତି। ମହାରାଷ୍ଟ୍ର ନିର୍ବାଚନ ସହିତ ଚଳିତ ବର୍ଷ ନଭେମ୍ବରରେ ନିର୍ବାଚନ କରିବାକୁ କେଜ୍ରିୱାଲ ଦାବି କରିଛନ୍ତି। ଆମ ଆଦମୀ ପାର୍ଟିକୁ ଭାଙ୍ଗି ଦିଲ୍ଲୀରେ ସରକାର ଗଢିବାକୁ ଚାହିଁଥିଲା ବିଜେପି। ହେଲେ, ସେ ଆପକୁ ଭାଙ୍ଗି ପାରିଲା ନାହିଁ। ସମ୍ବିଧାନର ସୁରକ୍ଷା ପାଇଁ ଗିରଫ ହେବା ସତ୍ତ୍ୱେ ଜେଲରେ ଥାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିଲି। ଦେଶ ପାଇଁ ତାଙ୍କର ଲଢ଼େଇ ଜାରି ରହିବ ବୋଲି କେଜ୍ରିୱାଲ କହିଛନ୍ତି। ସେ କେନ୍ଦ୍ରକୁ ସମାଲୋଚନା କରି କହିଛନ୍ତି ଯେ ବିଜେପି ବ୍ରିଟିଶ ଉପନିବେଶବାଦୀ ଶାସନ ଠାରୁ ମଧ୍ୟ ଅଧିକ ଏକଛତ୍ରବାଦୀ।