ତିରୁପତି ଲଡୁ ବିବାଦ ପରେ ସଜାଗ ହେଲେ ୟୁପି ସରକାର

ହୋଟେଲ ଓ ରେଷ୍ଟୁରାଣ୍ଟ ପାଇଁ ଆସିଲା ନୂଆ ନିୟମାବଳୀ

ନୂଆଦିଲ୍ଲୀ, ୨୪/୦୯: ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ବଣ୍ଟା ଯାଉଥିବା ପ୍ରସାଦ ଭାବେ ଲଡୁରେ ପଶୁ ଚର୍ବି ମିଶୁଥିବା ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଲଡୁ ବିବାଦ ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଉଛି। ସେହିପରି ତିରୁପତି ଲଡୁରେ ତମାଖୁ ମଧ୍ୟ ମିଶୁଥିବା ଜଣେ ମହିଳା ଭକ୍ତ ସୋସିଆଲ ମିଡ଼ିଆରେ ଭିଡିଓ ଜାରି କରିବା ପରେ ଏହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତିରୁପତି ଲଡୁକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ଏହା ପରେ ଆଗୁଆ ସଜାଗ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର। ରାଜ୍ୟରେ କିଛି ବିବାଦ ଉପୁଜିବା ପୂର୍ବରୁ ଖାଦ୍ୟ ପ୍ରତିଷ୍ଠାନ ପାଇଁ ଆଣିଛନ୍ତି କଡା ନିୟମାବଳୀ।

ଉତ୍ତରପ୍ରଦେଶରେ ହୋଟେଲ ଓ ରେଷ୍ଟୁରାଣ୍ଟ ପାଇଁ ଆସିଲା ନୂଆ ନିୟମାବଳୀ। ଖାଦ୍ୟ ପ୍ରତିଷ୍ଠାନରେ ଥିବା ଉଭୟ ସେଫ୍ ଓ ୱେଟରଙ୍କ ପାଇଁ କଠୋର ନିୟମ ପ୍ରଣୟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଉଭୟ ସେଫ୍ ଓ ୱେଟରମାନେ ଡ୍ୟୁଟି ସମୟରେ ମାସ୍କ ଓ ଗ୍ଲୋଭ୍ସ ପିନ୍ଧିବା ବାଧ୍ୟତାମୂଳକ ହେବ। ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ହେବ। ଆବଶ୍ଯକ ସ୍ଥଳେ ସିସିଟିଭି ଫୁଟେଜକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରିବ। ଏପରିକି ହୋଟେଲ ଓ ରେଷ୍ଟୁରାଣ୍ଟର ଅପରେଟର, ମାଲିକ ଏବଂ ମ୍ୟାନେଜରମାନେ ସମସ୍ତ ଖାଦ୍ୟ ଓ ପାନୀୟ ଦ୍ରବ୍ୟରେ ସେମାନଙ୍କ ନାମ ଏବଂ ଠିକଣା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବେ।

ଜୁସ୍, ଡାଲି ଓ ରୁଟି ଭଳି ଖାଦ୍ୟ ସାମଗ୍ରୀରେ ମାନବ ବର୍ଜ୍ୟବସ୍ତୁ ସାମିଲ କରିବା ଘୃଣ୍ୟ ଓ କଦାପି ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶରେ ଯେପରି ଏଭଳି ଘଟଣା ନ ଘଟେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ରାସ୍ତା କଡ଼ରେ ଥିବା ଛୋଟ ଢାବା ସହିତ ବଡ ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ପୋଲିସ ଯାଞ୍ଚ ବାଧ୍ୟତାମୂଳକ ହେବ। ଫୁଡ୍ ସେଫଟି ଓ ଡ୍ରଗ ଆଡମିନିଷ୍ଟ୍ରେସନ, ପୋଲିସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମିଳିତ ଟିମ୍ ଯାଞ୍ଚ କରିବେ। ଖାଦ୍ୟ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଖାଦ୍ୟ ନିରାପତ୍ତା ଏବଂ ମାନକ ଆଇନରେ ସଂଶୋଧନ ଉପରେ ମଧ୍ୟ ବିଚାର କରୁଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।