ବହରାଇଚ ହିଂସାକାଣ୍ଡରେ ଯୋଗୀ ସରକାରଙ୍କ କଡା ଆକ୍ସନ

ନେପାଳ ପଳାଉଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର

ନୂଆଦିଲ୍ଲୀ, ୧୭/୧୦: ଉତ୍ତରପ୍ରଦେଶର ବହରାଇଚରେ ଦୁର୍ଗାପୂଜା ଭସାଣି ଯାତ୍ରା ବେଳେ ହୋଇଥିବା ହିଂସାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଛି। ଅକ୍ଟୋବର ୧୩ ତାରିଖରେ ଦୁର୍ଗାପୂଜା ଭସାଣି ଯାତ୍ରାରେ ୨୨ ବର୍ଷିୟ ରାମ ଗୋପାଳ ମିଶ୍ରଙ୍କୁ ହତ୍ୟା ଘଟଣାର ଦୁଇ ଅଭିଯୁକ୍ତ ସରଫରାଜ ଓ ଫହିମ ନେପାଳକୁ ଫେରାର ହୋଇଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଗୁଳି ମାଡ଼ କରିଛି ୟୁପି ପୋଲିସ।

ନେପାଳ ସୀମା ନିକଟବର୍ତ୍ତୀ ବହରାଇଚର ହାଣ୍ଡା ବାସହେରୀ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା। ସରଫରାଜ ଓ ଫହିମଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଦୁହେଁ ବହରାଇଚ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଅବଦୁଲ ହମିଦଙ୍କ ପୁଅ। ଏନକାଉଣ୍ଟରରେ ଆହତ ଅଭିଯୁକ୍ତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରବିବାର ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ମାଆ ଦୁର୍ଗାଙ୍କ ମୂର୍ତ୍ତି ଉପରକୁ ପଥର ଫିଙ୍ଗିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ସଂଘର୍ଷ ଆରମ୍ଭ ହୋଇଥିଲା। ଶୋଭାଯାତ୍ରା ଚାଲୁଥିବା ସମୟରେ ଅବଦୁଲ ହମିଦଙ୍କ ଘରର ଛାତ ଉପରେ ଥିବା ପତାକାକୁ କାଢି ହିନ୍ଦୁ ଦେବାଦେବୀଙ୍କ ପତାକା ଲଗାଉଥିଲେ ରାମ ଗୋପାଳ ମିଶ୍ର। ସେହି ସମୟରେ ତାଙ୍କ ଉପରକୁ ଗୁଳି ମାଡ କରାଯାଇଥିଲା। ଏହି ଘଟଣାରେ ବହରାଇଚରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।

ବିକ୍ଷୋଭ ସମୟରେ ଦୁର୍ବୃତ୍ତମାନେ ଲକ୍ଷ୍ନୌ ହସ୍ପିଟାଲରେ ନିଆଁ ଲଗାଇ ଦେଇଥିଲେ। ହିଂସା ମାମଲାରେ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଗଲାଣି। କେବଳ ଆଜି ହିଁ ୫ ଜଣଙ୍କୁ ଗିରଫ କରାଯାଇଛି। ତେବେ ରାମ ଗୋପାଳ ମିଶ୍ରଙ୍କ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭେଟି ତାଙ୍କ ପରିବାରକୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପପରିବାକୁ ତୁରନ୍ତ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା।