୭/୧୦ ଇସ୍ରାଏଲ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ ୟାହିୟା ସିନୱାର ମୃତ

୩ ଆତଙ୍କବାଦୀଙ୍କୁ ମାରିଲା ଆଇଡିଏଫ

ନୂଆଦିଲ୍ଲୀ,୧୭/୧୦: ଇସ୍ରାଏଲ ଉପରେ ଅକ୍ଟୋବର ୭ରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିବା ହମାସ ମୁଖ୍ୟ ୟାହିୟା ସିନୱାର ମୃତ୍ୟୁ ଘଟିଛି ବୋଲି ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଇସ୍ରାଏଲ କାଟଜ୍ ନିଶ୍ଚିତ କରିଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ୧୨୦୦ ଇସ୍ରାଏଲୀୟ ପ୍ରାଣ ହରାଇଥିଲେ। ଯାହା ଏକ ଇହୁଦୀ ରାଷ୍ଟ୍ର ଉପରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଥିଲା। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ୟାହିୟା ସିନୱାର। ତେବେ ଆଜି ସିନୱାରକୁ ଇସ୍ରାଏଲ ସେନା ଆଇଡିଏଫ୍ ହତ୍ୟା କରିଛନ୍ତି ବୋଲି କାଟ୍ଜ ଏକ ବିବୃତିରେ କହିଛନ୍ତି।

ଏହା ପୂର୍ବରୁ ଇସ୍ରାଏଲ ସେନା ଗାଜାରେ ଏକ ଅପରେସନରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବା ଘୋଷଣା କରିଥିଲା। ଗତ ଜୁଲାଇରେ ଇସ୍ରାଏଲ ସେନା ତେହେରାନରେ ହମାସ ମୁଖ୍ୟ ଇସମାଇଲ ହାନିୟେହକୁ ନିପାତ କରିଥିଲା। ଯାହା ପରେ ହମାସ ମୁଖ୍ୟ ଦାୟିତ୍ୱ ନେଇଥିଲା ସିନୱାର।

୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିବା ସିନୱାରଙ୍କୁ ହମାସର ପ୍ରତିଷ୍ଠାତା ସେକ୍ ଅହମ୍ମଦ ୟାସିନ୍ ନିଯୁକ୍ତି ଦେଇଥିଲେ। ସେ ଇସଲାମିକ ନୈତିକତା ଆଇନ ଉଲ୍ଲଂଘନ କରିବା ଏବଂ ଇସ୍ରାଏଲ ସେନାକୁ ସହଯୋଗ କରୁଥିବା ଲୋକଙ୍କୁ ଖୋଜି ଖୋଜି ମାରୁଥିଲେ। ୧୯୮୮ରେ ଇସ୍ରାଏଲକୁ ସହଯୋଗ କରିଥିବାରୁ ୪ ଜଣ ପାଲେଷ୍ଟାଇନୀଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ଇସ୍ରାଏଲ ଗିରଫ କରି ଜେଲରେ ରଖିଥିଲା। ୨୦୧୧ରେ କଏଦୀ ଅଦଳବଦଳରେ ସିନୱାରକୁ ଇସ୍ରାଏଲ ମୁକ୍ତ କରିଥିଲା।