ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଧମକପୂର୍ଣ୍ଣ ମେସେଜ

ବଞ୍ଚିବାକୁ ଚାହୁଁଥିଲେ ୫ କୋଟି ମାଗିଛି ଦୁର୍ବୃତ୍ତ

ମୁମ୍ବାଇ, ୧୮/୧୦: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କୁ ପୁଣି ମିଳିଛି ଧମକପୂର୍ଣ୍ଣ ମେସେଜ। ସଲମାନଙ୍କଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି ଦୁର୍ବୃତ୍ତ। କୁଖ୍ୟାତ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ସହ ଜଡ଼ିତ କେହି ମେସେଜ କରିଥିବା ସନ୍ଦେହ କରାଯାଉଛି। ମୁମ୍ବାଇ ଟ୍ରାଫିକ୍ ପୁଲିସକୁ ଅଜଣା ନମ୍ବରରୁ ହ୍ୱାଟସାପ ଯୋଗେ ଏହି ଧମକ ମିଳିଥିଲା।

ମେସେଜରେ ଉଲ୍ଲେଖ ରହିଛି ଯେ, ଅଭିନେତା ସଲମାନ ଖାନ୍ ଓ ଜେଲରେ ଥିବା ଲରେନ୍ସ ବିଷ୍ନୋଇଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ କରିବାକୁ ଚାହୁଁଥିଲେ ୫ କୋଟି ଟଙ୍କା ଦିଅନ୍ତୁ ସଲମାନ ଖାନ୍। ଯଦି ଦାବି ମୁତାବକ ରାଶି ନ ଦିଆଯାଏ, ତେବେ ଅକ୍ଟୋବର ୧୨ ତାରିଖରେ ବାନ୍ଦ୍ରା ପୂର୍ବରେ ନୃଶଂସ ଭାବେ ହତ୍ୟା କରାଯାଇଥିବା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ନେତା ବାବା ଜିଆଉଦ୍ଦିନ ସିଦ୍ଦିକିଙ୍କ ଠାରୁ ମଧ୍ୟ ଖରାପ ଅବସ୍ଥାରେ ସଲମାନଙ୍କର ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଛି।

ହ୍ଵାଟ୍ସଆପ୍ ମେସେଜରେ କୁହାଯାଇଛି, ଯଦି ସଲମାନ ଖାନ୍ ବଞ୍ଚି ରହିବାକୁ ଚାହୁଁଛନ୍ତି ଏବଂ ଲରେନ୍ସ ବିଷ୍ନୋଇଙ୍କ ସହ ଶତ୍ରୁତାକୁ ଶେଷ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ୫ କୋଟି ଟଙ୍କା ଦେବାକୁ ପଡ଼ିବ। ଏହାକୁ ହାଲୁକା ଭାବେ ନେଲେ, ସଲମାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଠାରୁ ବି ଆହୁରି ଭୟଙ୍କର ହେବ। ସଲମାନଙ୍କ ଜୀବନକୁ ବିପଦ ଥିବା ବେଳେ ଏହାକୁ ଗମ୍ଭୀରତାର ସହ ନେଇ ମୁମ୍ବାଇ ପୋଲିସ ମେସେଜ ପଠାଇଥିବା ଲୋକଙ୍କ ପୃଷ୍ଠଭୂମି ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ଅନେକ ବର୍ଷ ଧରି ଖାନ୍ ଏବଂ ତାଙ୍କ ପରିବାର ସହିତ ଲରେନ୍ସ ଗ୍ୟାଙ୍ଗ ସହ ଶତ୍ରୁତା ଲାଗି ରହିଛି। ସଲମାନଙ୍କୁ ପୂର୍ବରୁ ଜୀବନରୁ ମାରି ଦେବା ପାଇଁ ଇମେଲକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ଏହା ପରେ ସଲମାନଙ୍କ ବାସଭବନ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ଚଳାଇଥିଲେ ଦୁର୍ବୃତ୍ତ। ଏହା ପରେ ସଲମାନଙ୍କ ଘନିଷ୍ଠ ସହଯୋଗୀ ବାବା ସିଦ୍ଦିକିଙ୍କୁ ହତ୍ୟା କରି ସଲମାନଙ୍କୁ ଚେତାବନୀ ଦିଆ ଯାଇଥିଲା।