କାଜାନରେ ହେବ ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୪

ବ୍ରିକ୍ସ ସମ୍ମିଳନୀର ୧୬ତମ ସଂସ୍କରଣରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

୨୨ରେ ଋଷ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୮/୧୦: ଋଷିଆର କାଜାନରେ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ଶିଖର ସମ୍ମିଳନୀ। ବ୍ରିକ୍ସ ସମ୍ମିଳନୀର ୧୬ତମ ସଂସ୍କରଣରେ ଯୋଗ ଦେବା ପାଇଁ ଋଷିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୨୨ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀର ଯୋଗ ଦେବା ପାଇଁ ରୁଷିଆ ଗସ୍ତକରିବେ।

ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ “ବିଶ୍ୱର ବିକାଶ ଏବଂ ନିରାପତ୍ତା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବା” ଶୀର୍ଷକ ବ୍ରିକ୍ସ ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି। ଏହି ଶିଖର ସମ୍ମିଳନୀରେ ବିଶ୍ୱ ନେତାମାନଙ୍କୁ ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସୁଯୋଗ ପ୍ରଦାନ କରିବ।

ଗତ ସେପ୍ଟେମ୍ବର ମାସରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିପକ୍ଷ ଏବଂ ଆମନ୍ତ୍ରିତ ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି।