ରେଲୱେ ଜେଇଙ୍କ ଘରେ ବୁଲିଲା କଳାକନା

ହାତ ଗୋଡ ବାନ୍ଧି ଲୁଟି ନେଲେ ସୁନା ଗହଣା ଓ ଟଙ୍କା

ରାଉରକେଲା, ୧୯/୧୦: ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ହାତଗୋଡ ବାନ୍ଧି ରେଲୱେ ଜୁନିଅର ଇଞ୍ଜିନିୟରଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଜୁନିଅର ଇଞ୍ଜିନିୟର ଦିଲ୍ଲୀପ ପଣ୍ଡାଙ୍କ ଘରେ ସଶସ୍ତ୍ର ଡକାୟତମାନେ ପଶି ଶନିବାର ଭୋର ଲୁଟତରାଜ ଚଳାଇଥିବାର ସୂଚନା ମିଳିଛି। ଏ ନେଇ ବନ୍ଧମୁଣ୍ଡା ଥାନାରେ ଏତଲା ଦେଇଛନ୍ତି ଦିଲ୍ଲୀପ।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀପ ପଣ୍ଡାଙ୍କ ପରିବାର ଶୋଇଥିବା ବେଳେ ଶନିବାର ଭୋର ପ୍ରାୟ ୩ଟା ବେଳେ ଏହି ଅଘଟଣ ଘଟିଛି। ସମସ୍ତ ଡକାୟତମାନେ ମୁଖା ପିନ୍ଧିଥିବା ସହ ପିସ୍ତଲ ଧରି ରୁମର ଝରକାକୁ କଟରରେ କାଟି ଘର ଭିତରକୁ ପଶିଥିଲେ। ଦିଲ୍ଲୀପ ପଣ୍ଡା ଶୋଇଥିବା ବେଳେ ତାଙ୍କୁ ଉଠାଇ ତାଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ। ଏହା ପରେ ତାଙ୍କ ସ୍ତ୍ରୀ ଓ ୧୫ ବର୍ଷର ନାବାଳକ ପୁଅକୁ ମଧ୍ୟ ବାନ୍ଧି ତମାମ ଘରୁ ସୁନାଗହଣା ଲୁଟ କରିଥିଲେ। ସେମାନେ ଆଲମାରୀ ଓ ସମସ୍ତ ରୁମରେ ଭଙ୍ଗାରୁଜା କରି ୩୦୦ରୁ ୪୦୦ ଗ୍ରାମ ଓଜନର ସୁନା ଓ ରୁପା ଅଳଙ୍କାର ସହ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଥିଲେ। ଏହା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଲୁଟ୍ ଖବର ପାଇ ବନ୍ଧମୁଣ୍ଡା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଡଗ୍ ସ୍କ୍ବାଡ ନେଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।