ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ

ଲେବାନନ ଆକ୍ରମଣ କରିଥିବା କହିଲା ଇସ୍ରାଏଲ ଗଣମାଧ୍ୟମ

ଇସ୍ରାଏଲ, ୧୯/୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରକୁ ଡ୍ରୋନ ଆକ୍ରମଣ କରିଛି ଲେବାନନ। ଦକ୍ଷିଣ ହାଇଫାର ସିଜେରିଆସ୍ଥିତ ନେତାନ୍ୟାହୁଙ୍କ ବ୍ୟକ୍ତିଗତ ବାସଭବନ ଉପରକୁ ଲେବାନନରୁ ଉତକ୍ଷେପଣ କରାଯାଇଥିବା ଡ୍ରୋନ୍ ଆକ୍ରମଣ ହୋଇଥିବା ଆଇଡିଏଫ ସ୍ପଷ୍ଟ କରିଛି। ଲେବନାନରୁ ନିକ୍ଷେପ କରାଯାଇଥିବା ଅନ୍ୟ ଦୁଇଟି ଡ୍ରୋନକୁ ଏୟାର ଡିଫେନ୍ସ ଖସାଇ ଦେଇଛି। ଇସ୍ରାଏଲ ଗାଜାରେ ହମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ହତ୍ୟା କରିବାର ଦୁଇ ଦିନ ପରେ ଏହି ଆକ୍ରମଣ ହୋଇଛି।

ଡ୍ରୋନ୍ ଆକ୍ରମଣରେ ବିଲ୍ଡିଂର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି ବୋଲି ସାଉଦି ସଂସ୍ଥା ଅଲ୍-ହଦାଥ ଦାବି କରିଛି। ତେବେ ଆକ୍ରମଣ ସମୟରେ ବାସଭବନରେ କେହି ନଥିବା ହେତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସିଜେରିଆଠାରୁ ୭୦ କିଲୋମିଟର ଦୂର ଲେବାନନରୁ ଏହି ଡ୍ରୋନ ଆକ୍ରମଣ ହୋଇଥିଲା ବୋଲି ଇସ୍ରାଏଲ ଗଣମାଧ୍ୟମ ରିପୋର୍ଟ କରିଛି। ୟାହିୟା ସିନାୱାରଙ୍କ ମୃତ୍ୟୁ ଏବଂ ପରେ ନେତାନ୍ୟାହୁଙ୍କ ଘର ଉପରେ ଡ୍ରୋନ୍ ଆକ୍ରମଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବଢିବାର ଆଶଙ୍କା ସୃଷ୍ଟି କରିଛି।