ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

• ପ୍ରବାସୀ ଭାରତୀୟଙ୍କ ଗହଣରେ ଭୋଜନ କରିବା ସହ ଆତିଥେୟତାକୁ ପ୍ରଶଂସା କଲେ • ଭାରତର ଯୁବକମାନଙ୍କୁ ଦକ୍ଷ କରିବାରେ ଜାତୀୟ ଶିକ୍ଷା ନୀତିର ଭୂମିକା ଉପରେ ଆଲୋଚନା • ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ଭାରତର ବିକାଶ ଉପରେ ଚର୍ଚ୍ଚା • ବିଶ୍ୱ ସବୁଜ ଉର୍ଜା ମଡେଲକୁ ଆକାର ଦେବା ପାଇଁ ପ୍ରବାସୀଙ୍କ ସମ୍ଭାବନା ଉପରେ ଗୁରୁତ୍ୱାରୋପ • ଭାରତର ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ ରଖିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ସିଙ୍ଗାପୁର-ଭାରତ ଭାଗିଦାରୀକୁ ମଜବୁତ୍ କରିବାରେ ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ: ଧର୍ମେନ୍ଦ୍ର ପ୍ରଧାନ

ସିଙ୍ଗାପୁର, ୨୦/୧୦: ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷା କ୍ଷେତ୍ରରେ ସମ୍ପର୍କକୁ ମଜଭୂତ୍ କରିବା ପାଇଁ ୭ ଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରରେ ରହୁଥିବା ଭାରତୀୟ ସମୁଦାୟଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରବାସୀ ଭାରତୀୟ ମାନଙ୍କ ଆତିଥେୟତାକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଦେଶରେ ଭାରତୀୟଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହ ଭୋଜନରେ ସାମିଲ ହେବା ମୋ ପାଇଁ ଖୁସିର ବିଷୟ । ସିଙ୍ଗାପୁର- ଭାରତ ଭାଗିଦାରୀକୁ ଅଧିକ ମଜବୁତ୍ କରିବାରେ ଆମର ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ସେମାନେ ବାହାରେ ରହି ମଧ୍ୟ ଭାରତର ସଂସ୍କୃତିକୁ ପାଳନ କରୁଛନ୍ତି । ସିଙ୍ଗାପୁରର ପ୍ରଗତିରେ ତାଙ୍କର ଯୋଗଦାନ ଅନେକ ରହିଛି । ବର୍ତ୍ତମାନ ସମୟରେ ପୁଞ୍ଜିନିବେଶ ଏବଂ ସୁଯୋଗ ପାଇଁ ଭାରତ ହେଉଛି ବିଶ୍ୱର ସବୁଠୁ ଆକର୍ଷଣୀୟ ସ୍ଥାନ । ପ୍ରବାସୀମାନେ ଭାରତରେ ଥିବା ନିଜର ଆତ୍ମୀୟ ଏବଂ ସଂସ୍କୃତି ସହିତ ସବୁବେଳେ ଯୋଡ଼ି ହୋଇ ରହିବା ସହ ଭାରତର ଅଭିବୃଦ୍ଧି ଯାତ୍ରାରେ ଯୋଗଦାନ ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଭାରତ ଓ ସିଙ୍ଗାପୁରକୁ ଗର୍ବିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସିଙ୍ଗାପୁରରେ ପ୍ରବାସୀଙ୍କ ସହ ଆଲୋଚନା କାଳରେ ଭାରତର ଯୁବକମାନଙ୍କୁ ଦକ୍ଷ କରିବାରେ ଜାତୀୟ ଶିକ୍ଷା ନୀତି – ୨୦୨୦ର ଭୂମିକା ଏବଂ ଭାରତରେ ଶିକ୍ଷାର ବ୍ୟାପକତା ଉପରେ ଆଲୋକପାତ କରିଥିଲେ ଶିକ୍ଷା ମନ୍ତ୍ରୀ । ଭାରତ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଲକ୍ଷ୍ୟ ନେଇ କାମ କରିବା ତଥା ଏହା ଦ୍ୱାରା ହେବାକୁ ଥିବା ବିକାଶ ଉପରେ ଚର୍ଚ୍ଚା କରିଥିଲେ । ସେହିପରି ୨୦୭୦ ସୁଦ୍ଧା ନେଟ୍ ଜିରୋ ଆଡକୁ ଅଗ୍ରସର ହେବା ଏବଂ ବିଶ୍ୱ ସବୁଜ ଉର୍ଜା ମଡେଲକୁ ଆକାର ଦେବା ପାଇଁ ପ୍ରବାସୀଙ୍କ ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତର ଐତିହ୍ୟ ସହ ଜଡ଼ିତ ବିଷୟ ସହ ଯୋଡି ହୋଇ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ ପ୍ରବାସୀଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ସିଙ୍ଗାପୁର ଗସ୍ତ କାଳରେ ଶ୍ରୀ ପ୍ରଧାନ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍, ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗ୍, ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।