ଓଡ଼ିଆ ଝିଅ ଆରାଧନା ଦାସଙ୍କୁ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ

ପ୍ରଥମ ଓଡ଼ିଆ ଭାବେ ରାଜ୍ୟ ପାଇଁ ଗୌରବ ଆଣିଲେ ଆରାଧନା

ଦୁବାଇ, ୨୧/୧୦: ମଧ୍ଯପ୍ରାଚ୍ଯରେ ବିବାହିତ ଭାରତୀୟ ମହିଳାଙ୍କ ପାଇଁ ନିମିତ୍ତ ପ୍ରଥମ ସୌନ୍ଦର୍ଯ୍ଯ ପ୍ରତିଯୋଗିତା ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟର ଦ୍ୱିତୀୟ ସିଜିନ୍ ଫାଇନାଲ୍ ଦୁବାଇ ଠାରେ ଗତ ୦୮ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଆ ଝିଅ ଆରାଧନା ଦାସ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ ହାସଲ କରିଛନ୍ତି । ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତାରେ ପୋଡିୟମ୍ ଫିନିଶ୍ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା।

ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତା ୨୦୨୩ ମସିହାରେ ଆରମ୍ଭ ହୋଇଥିଲା ଏବଂ ଚଳିତ ବର୍ଷ ଦ୍ୱିତୀୟ ସିଜିନ୍ ଆଯ଼ୋଜିତ ହୋଇଛି। ଏହି କାର୍ଯ୍ଯକ୍ରମ ମଧ୍ଯପ୍ରାଚ୍ଯର ଅସଂଖ୍ଯ ପ୍ରତିଭାଙ୍କ ପାଇଁ ସୁଯୋଗ ଯୋଗାଇବା ସହ ଭାରତୀୟ ମହିଳାଙ୍କ ସୌନ୍ଦର୍ଯ୍ଯ, ବୁଦ୍ଧି ଏବଂ ସାଂସ୍କୃତିକ ଐତିହ୍ଯଜ୍ଞାନକୁ ସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ।

ବିଭିନ୍ନ ଭାରତୀୟ ସହରରୁ ଆସି ମଧ୍ଯପ୍ରାଚ୍ଯରେ ରହୁଥିବା ବିବାହିତ ଭାରତୀୟ ମହିଳାମାନେ ସେମାନଙ୍କ ପ୍ରତିଭା, ସୌନ୍ଦର୍ଯ୍ଯ, ବୁଦ୍ଧି, ଆତ୍ମବିଶ୍ୱାସ ଏବଂ ସାଂସ୍କୃତିକ ପରିଚୟ ପ୍ରଦର୍ଶନ କରିବା ପାଇଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀମାନଙ୍କୁ ପାରମ୍ପରିକ ପୋଷାକ, ଗାଉନ୍, ପ୍ରତିଭା ଏବଂ ସାକ୍ଷାତକାର ସମେତ ବିଭିନ୍ନ ପର୍ଯ୍ଯାୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା।

ଓଡ଼ିଶାର ଆରାଧନା ଦାସ ସୌନ୍ଦର୍ଯ୍ଯ ପ୍ରତିଯୋଗିତାରେ ନିଜର ପ୍ରତିଭା ଏବଂ ସୌନ୍ଦର୍ଯ୍ୟ ସହ ଓଡ଼ିଆ ସଂସ୍କୃତିକୁ ବିଶ୍ବ ଦରବାରରେ ପ୍ରଦର୍ଶିତ କରିବା ପାଇଁ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ଆରାଧନା ଭୁବନେଶ୍ୱରର ବାସିନ୍ଦା ଏବଂ ଗତ ୭ ବର୍ଷ ଧରି ଦୁବାଇରେ ତାଙ୍କ ସ୍ୱାମୀ ସୁର୍ଯ୍ୟକାନ୍ତ ବେହେରା ଏବଂ ଝିଅ ସାନଭୀ ବେହେରାଙ୍କ ସହ ବାସ କରୁଛନ୍ତି।

ଚଳିତ ବର୍ଷର ପ୍ରତିଯୋଗିତାରେ ଆରାଧନାଙ୍କୁ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ ସହ ମିସେସ୍ ଇଣ୍ଟେଲେକ୍ଚୁଆଲ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଥିଲା । ନିଜ ଦକ୍ଷତା ଏବଂ ଆତ୍ମବିଶ୍ୱାସକୁ ଆରାଧନା ପ୍ରତିଯୋଗିତାରେ ପ୍ରତିପାଦିତ କରିଥିଲେ | ବିବାହ ପୂର୍ବରୁ ଆରାଧନା ଜଣେ ବ୍ୟାଙ୍କିଙ୍ଗ୍ ପେସାଦାର ଭାବେ କାର୍ଯ୍ୟ କରୁଥିଲେ । ଝିଅଙ୍କ ଜନ୍ମ ପରେ ଆରାଧନା ପେସାଦାର ବୃତ୍ତି ଛାଡ଼ି ପାରିବାରିକ ଦାୟିତ୍ବକୁ ଅଗ୍ରାଧିକାର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପ୍ରତିଯୋଗିତାରେ ବିଜୟୀ ହୋଇ ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି।

ଏହି ଅବସରରେ ଆରାଧନା କହିଛନ୍ତି ଯେ ସେ ସବୁବେଳେ ଏହିଭଳି କାର୍ଯ୍ଯକ୍ରମରେ ଭାଗ ନେବାକୁ ଚାହୁଁଥିଲେ, କିନ୍ତୁ ଜୀବନର ଅନ୍ଯ ପ୍ରାଥମିକତା ଯୋଗୁଁ ସମୟ ଦେଇପାରିନଥିଲେ । ଦୁବାଇରେ ଏହି ପ୍ରତିଯୋଗିତା ହେଉଥିବା ବିଷୟରେ ଜାଣିବା ପରେ ଏଥିରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ। ଭଗବାନଙ୍କ କୃପା ଏବଂ ପରିବାରର ସମର୍ଥନ ଦ୍ୱାରା ସେ ଏହି ପ୍ରତିଯୋଗିତାରେ ବିଜୟୀ ହେବା ସହ ଓଡ଼ିଶା ରାଜ୍ଯ ପାଇଁ ଏହି ସମ୍ମାନଜନକ ଟାଇଟଲ୍ ଜିତିପାରିଛନ୍ତି ବୋଲି କହିଛନ୍ତି । ଓଡ଼ିଆ ହୋଇଥିବାରୁ ସେ ଗର୍ବିତ ଏବଂ ଏହି ବିଜୟ ସହ ବିଶ୍ୱ ଦରବାରରେ ଓଡ଼ିଆ ସଂସ୍କୃତିର ଉପସ୍ଥାପନ ନିମନ୍ତେ ଅନ୍ଯାନ୍ୟ ସୌନ୍ଦର୍ଯ୍ଯ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆରାଧନା କହିଛନ୍ତି ।