ବାତ୍ୟା ପରେ ଜୋରଦାର ପୁନରୁଦ୍ଧାର କାର୍ଯ୍ୟ ଜାରି

କ୍ଷତିଗ୍ରସ୍ତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହ ମରାମତି କାର୍ଯ୍ୟ ଚାଲିଛି।

୯୦% ଘରକୁ ବିଦ୍ୟୁତ ସରବରାହ ପହଞ୍ଚାଇବା ଲକ୍ଷ୍ୟ

ଭୁବନେଶ୍ୱର, ୨୫/୧୦: ଓଡ଼ିଶାରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ପରେ ଭଦ୍ରକ, ବାଲେଶ୍ଵର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବୈଦୁତିକ ଭିତ୍ତିଭୂମି ବହୁଳ ଭାବେ ପ୍ରଭାବିତ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ DISCOM ଗୁଡ଼ିକ ଆବଶ୍ୟକ ମାନବ ସମ୍ବଳ ଓ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ଯୁଦ୍ଧକାଳୀନ ଭିତ୍ତିରେ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ଅପରାହ୍ନ ୨ଟା ସୁଦ୍ଧା ପ୍ରାୟ ୧୦ ଲକ୍ଷ ଘରକୁ ବିଦ୍ୟୁତ ସରବରାହ ତ୍ୱରାନ୍ୱିତ ହୋଇପାରିଛି ଏବଂ ଆଜି ରାତି ସୁଦ୍ଧା ୯୦% ଘରକୁ ବିଦ୍ୟୁତ ସରବରାହ ପହଞ୍ଚାଇବା ଲକ୍ଷ୍ୟ ରହିଛି।

ବାତ୍ୟାରେ ପ୍ରଭାବିତ ହୋଇଥିବା ୧୦୬ ଟି ୩୩kv ଫିଡରରୁ ୭୨ ଟି ପୁନଃ କାର୍ଯ୍ୟକ୍ଷମ ହୋଇସାରିଛି। ପ୍ରଭାବିତ ହୋଇଥିବା ୨୦୧ଟି ପ୍ରାଥମିକ ସବ୍ ଷ୍ଟେସନ ମଧ୍ୟରୁ ୧୧୬ଟି ସବ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି। ସେହିପରି ବାତ୍ୟାରେ ପ୍ରଭାବିତ ହୋଇଥିବା ୯୦୯ଟି ୧୧ kv ଫିଡର ରୁ ୫୦୪ ଗୋଟି ଫିଡର ପୁନଃ କାର୍ଯ୍ୟକ୍ଷମ ହୋଇଛି। ତଦନୁସାରେ ୮୦୧୩୫ ଟି ଡ଼ିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର ମଧ୍ୟରୁ ୩୯୯୦୩ ଗୋଟି ପୁନଃ କାର୍ଯ୍ୟକ୍ଷମ ହୋଇଛି। ପ୍ରାୟ ୧୧.୪ ଲକ୍ଷରୁ ଅଧିକ ଗ୍ରାହକଙ୍କ ବିଦ୍ୟୁତ ଯୋଗାଣ ପୁନଃସ୍ଥାପିତ ହୋଇପାରିଛି। ଏହି ସବୁ ପୁନଃରୁଦ୍ଧାର କାର୍ଯ୍ୟ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁଦ୍ଧକାଳୀନ ଭିତରେ କରାଯାଇଛି।