ପଶ୍ଚିମବଙ୍ଗରେ ବାତ୍ୟା ଦାନାର ପ୍ରଭାବ

ଜଣେ ମୃତ, ୨ ଲକ୍ଷ ଲୋକ ସ୍ଥାନାନ୍ତର

କୋଲକାତା, ୨୫/୧୦: ଓଡିଶାର କେନ୍ଦ୍ରାପଡ଼ା ଓ ଭିତରକନିକାରେ ବାତ୍ୟାର ଲ୍ୟାଣ୍ଡଫଲ ପରେ ତାଣ୍ଡବ ରଚିଥିଲା ଦାନା। ବାତ୍ୟା ‘ଦାନା’ ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଭିତ୍ତିଭୂମିର ଘୋର କ୍ଷୟକ୍ଷତି ହୋଇନଥିବା ବେଳେ ଓଡ଼ିଶାରେ ଜିରୋ କାଜୁଆଲିଟି ଲକ୍ଷ୍ୟ ସଫଳ ହୋଇଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ତଳିଆ ଅଞ୍ଚଳରୁ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ରାଜ୍ୟ ସଚିବାଳୟରେ ଏକ ସମୀକ୍ଷା ବୈଠକ କରି ସ୍ଥିତି ଅନୁଧ୍ୟାନ କରିବା ସହ ବାତ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମମତା।

ସୂଚନା ମୁତାବକ, କେବୁଲ ସମ୍ବନ୍ଧୀୟ କିଛି ଇଲେକ୍ଟ୍ରି କାମ କରୁଥିବା ବେଳେ ବ୍ୟକ୍ତିଜଣକ ତାଙ୍କ ବାସଭବନରେ ମୃତ୍ୟୁବରଣ କରିଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ଉକ୍ତ ପରିବାରକୁ ସାହାଯ୍ୟ କରିବ ବୋଲି ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।