ଦୀଘାରେ ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ

ଭୁବନେଶ୍ବର : ଆସନ୍ତା ୬ରୁ ୮ ଘଣ୍ଟା ବାଲେଶ୍ବର ଓ ମୟୂରଭଞ୍ଜରେ ଭୀଷଣ ବର୍ଷା ହେବ। ଆଜି ବି କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ବୈତରଣୀରେ ବନ୍ୟା ଆସିବା ସମ୍ଭାବନା ଅଧିକ। ଗଭୀର ଅବପାତ ଶୁକ୍ରବାର ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଦୀଘା ନିକଟରେ ସ୍ଥଳ ଭାଗ ଛୁଇଁବା ପରେ ରାଜ୍ୟ ସରକାର ଶୁକ୍ରବାର ଦିନ ଏଭଳି ସତର୍କ ସୂଚନା ଜାରି କରିଛନ୍ତି।

ଯେହେତୁ ସେସବୁ ଅଞ୍ଚଳରେ ବର୍ଷା ଜାରି ରହିଛି ଓ ପରିସ୍ଥିତି ଗମ୍ଭୀର ଆଡ଼କୁ ଯାଇପାରେ, ଏଣୁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ଆଜି ରାତି ୯ଟା ବେଳେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ କରି ରଖାଯାଇଛି ଓ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ବରିଷ୍ଠ ଅଧିକାରୀ କ୍ୟାମ୍ପ କରିଛନ୍ତି ଓ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପୂରା ସଜାଗ ଅଛନ୍ତି।