କିଡନୀ ଟ୍ରାନ୍ସପ୍ଲାଣ୍ଟ ଲାଗି ସିଙ୍ଗାପୁର ଯିବେ ଲାଲୁ ପ୍ରସାଦ ଯାଦବ

ପାଟନା: ବିହାର ଆରଜେଡି ସଂସ୍ଥାପକ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେବ। ଏଥିଲାଗି ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିବା ବେଳେ ସେ ଖୁବ୍ ଶୀଘ୍ର ସିଙ୍ଗାପୁର ଯାଇପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅନେକ ବେମାରୀରେ ପୀଡ଼ିତ ଅଛନ୍ତି। ତାଙ୍କ କିଡନୀ ଓ ଫୁସଫୁସ୍ ସଂକ୍ରମିତ ହୋଇଛି। ଏଥିରେ କିଡନୀ ୭୫ ପ୍ରତିଶତ ଡ୍ୟାମେଜ ହୋଇଥିବା ଡାକ୍ତର କହିଛନ୍ତି।

ଏଣୁ ଲାଲୁଙ୍କୁ ସିଙ୍ଗାପୁର ନେଇ ଚିକିତ୍ସା କରିବାକୁ ତାଙ୍କ ପରିବାର ପ୍ରସ୍ତୁତି କରୁଥିବା ଜଣାପଡିଛି। ଏଥିଲାଗି ପରିବାର ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ଲାଲୁ ପ୍ରସାଦ ଯାଦବ ତାଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ୧୦ ସର୍କୁଲାର ରୋଡସ୍ଥିତ ବାସଭବନ ସିଡିରୁ ଖସି ପଡିଥିଲେ। ଫଳରେ ତାଙ୍କ କାନ୍ଧରେ ଫ୍ରାକ୍ଚର ହୋଇଥିଲା। ପାଟନାରେ ତାଙ୍କ ଚିକିତ୍ସା କରାଯିବା ପରେ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମସ୍‌ ନେଇ ସେଠାରେ ଚିକିତ୍ସା କରାଯାଉଥିଲା।