ବେଳୁ ବେଳ ଜଟିଳ ହେଉଛି ଶିବସେନା ନେତା ସଞ୍ଜୟ ରାଉତଙ୍କ ସମସ୍ୟା

ମୁମ୍ବାଇ: ପାତ୍ର ଚାଲ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସମସ୍ୟା ବଢିବାରେ ଲାଗିଛି। କୋର୍ଟ ସୋମବାର ରାଉତଙ୍କ  ହାଜତ ମିଆଦ ସେପ୍ଟେମ୍ବର ୫ତାରିଖ ପର୍ଯ୍ୟନ୍ତ  ସମ୍ପ୍ରସାରଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ଼ଞ୍ଜୟ ରାଉତଙ୍କୁ ଜୁଲାଇ ୩୧ ତାରିଖ ଦିନ ଗିରଫ କରିଥିଲେ। ଅଗଷ୍ଟ ୮ ତାରିଖ ଦିନ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଥିଲେ। ପରେ ତାଙ୍କ ହାଜତ ମିଆଦ ଅଗଷ୍ଟ ୨୨ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଥିବା ବେଳେ ଏବେ ପୁଣି ବଢାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ପାତ୍ର ଚାଲ ଜମି ଦୁର୍ନୀତି ଲାଗି ସଞ୍ଜୟ ରାଉତଙ୍କ ବିରୋଧରେ  ଇଡି ମନିଲଣ୍ଡ୍ରିଂ ଅଭିଯୋଗ ଆଣିଛନ୍ତି। ଏମଡିଏ ୨୦୦୭ ମସିହାରେ ଗୋରେଗାଓଁ ସିଦ୍ଧାର୍ଥ ନଗରସ୍ଥିତ ପାତ୍ର ଚାଲର ରିଡେଭଲପମେଣ୍ଟ କାମ ସଞ୍ଜୟ ରାଉତଙ୍କ ସମ୍ପର୍କୀୟ ପ୍ରବୀଣ ରାଉତଙ୍କ ଆଶିଷ କନଷ୍ଟ୍ରକ୍ସନ କମ୍ପାନୀକୁ ଦିଆଯାଇଥିଲା। ଏଠାରେ ଥିବା ୪୭ ଏକର ଜମିରେ ଘର କରି ଲୋକଙ୍କୁ ୩ହଜାର ୫୦୦ରୁ ଅଧିକ ଫ୍ଲାଟ୍ ଦେବାର ଥିଲା। ତେବେ ଇତିମଧ୍ୟରେ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ଲୋକଙ୍କୁ ସେମାନଙ୍କ ଫ୍ଲାଟ୍ ମିଳି ନାହିଁ।