ଚୁଟକିରେ ପାଇବେ ଆମେରିକାର ନାଗରିକତ୍ୱ: ଆସିବ ‘ଗୋଲ୍ଡ କାର୍ଡ ଭିସା’

ଦେବାକୁ ପଡିବ ଏତିକି ମୂଲ୍ୟ, ଜାଣିଲେ ଉଡିଯିବ ହୋସ୍!

ନୂଆଦିଲ୍ଲୀ, ୨୬/୦୨: ଆମେରିକାରେ ରହିବା ପାଇଁ ସମସ୍ତଙ୍କର ସ୍ୱପ୍ନ ଥାଏ‌। ଆମେରିକାରେ ବାସ କରିବା ପାଇଁ ପ୍ରତ୍ୟେକ ଦେଶର ନାଗରିକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ। ଆମେରିକାର ନାଗରିକତ୍ବ ପାଇବାକୁ ଯୋଗ୍ୟ ହେବା ପାଇଁ ବହୁ ଆବଶ୍ୟକତା ପୂରଣ କରିବାକୁ ପଡ଼ିଥାଏ। ହେଲେ, ଏବେ ଆମେରିକାରେ ନାଗରିକତା ପାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଯେଉଁମାନେ ଆମେରିକାରେ ସହଜରେ ନାଗରିକତା ପାଇବାକୁ ଚାହୁଁଛନ୍ତି ସେମାନଙ୍କୁ ଗୋଲ୍ଡ କାର୍ଡ ଭିସା ହାସଲ କରିବାକୁ ପଡ଼ିବ। ଏଥିପାଇଁ ୫ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୪୩.୫୪ କୋଟି ଟଙ୍କା ଦେୟ ଦେବାକୁ ପଡିବ।

ଧନୀ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଟ୍ରମ୍ପଙ୍କ ଏକ ନୂତନ ସ୍କିମ୍। ତେବେ ଏହା ପୂର୍ବରୁ ଉପଲବ୍ଧ ଥିବା ଗ୍ରୀନ କାର୍ଡର ଏକ ପ୍ରିମିୟମ ଭର୍ସନ। ୩୫ ବର୍ଷ ପୁରୁଣା ଇବି-୫ ଭିସା ପ୍ରୋଗ୍ରାମକୁ ବଦଳାଇବ, ଯାହା ୧ ନିୟୁତ ଡଲାରରେ ଏହି ଭିସା ମିଳିଯାଏ।

ଏପ୍ରିଲ ଶେଷ ସୁଦ୍ଧା ଏହି ସ୍କିମ୍ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୧୦ ଲକ୍ଷ ଗୋଲ୍ଡ କାର୍ଡ ଭିସା ବିକ୍ରି କରାଯିବା ଲକ୍ଷ୍ୟ ରହିଛି।

ଧନୀ ନିବେଶକଙ୍କୁ ଆମେରିକାକୁ ଯିବା ପାଇଁ ଆକୃଷ୍ଟ କରିବା ସହିତ ସେଠାରେ ସହଜରେ ନାଗରିକତା ମିଳିବ ଏବଂ ଉକ୍ତ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଅଧିକାର ମିଳିବ। ଅନେକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଆବାସିକ ସୁବିଧା ପାଇବା ପାଇଁ ଏକ ସରଳ ମାର୍ଗ ହୋଇଥିଲେ ମଧ୍ୟ ଏଥିପାଇଁ ଉଚ୍ଚ ମୂଲ୍ୟ ଦେବାକୁ ପଡିବ।

ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ୧୯୯୦ ମସିହାରେ ଆରମ୍ଭ ହୋଇଥିବା ଗ୍ରୀନ କାର୍ଡ ଦ୍ୱାରା ବର୍ଷ ବର୍ଷ ଧରି ଅପବ୍ୟବହାର ଓ ଠକେଇ ଅଭିଯୋଗ ଆସୁଛି। ତେଣୁ ଏହାକୁ ବଦଳାଇ ଉଚ୍ଚ ଦରରେ ଗୋଲ୍ଡ କାର୍ଡ ଆଣିବା ପାଇଁ ଘୋଷଣା କରାଯାଇଛି।

ଗୋଲ୍ଡ କାର୍ଡ ଭିସା ଇବି-୫ ଠାରୁ କିପରି ଭିନ୍ନ?

ବର୍ତ୍ତମାନର ଇବି-୫ କାର୍ଯ୍ୟକ୍ରମ ଅଧୀନରେ ବିଦେଶୀ ନିବେଶକମାନଙ୍କୁ ଆମେରିକୀୟ ମୂଲ୍ୟରେ ୮୦,୦୦୦-୧,୦୫୦,୦୦୦ ଡଲାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିଥାଏ। ଏହି କାର୍ଡ ପ୍ରାପ୍ତ ନିବେଶକଙ୍କ ଦ୍ୱାରା ଅତି କମରେ ୧୦ଟି ନୂତନ ନିଯୁକ୍ତି ସୃଷ୍ଟି କରି ହୋଇଥାଏ। ଗ୍ରୀନ୍ କାର୍ଡ ପାଇବା ପାଇଁ ୫-୭ ବର୍ଷର ଅପେକ୍ଷା କରିବାକୁ ପଡ଼େ।

ପ୍ରସ୍ତାବିତ ‘ଗୋଲ୍ଡ କାର୍ଡ’ ଭିସା ପାଇଁ ୪୩.୫୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ରୋଜଗାର ସୃଷ୍ଟିର ଆବଶ୍ୟକତା ଦୂର କରି ବିପୁଳ ପରିମାଣରେ ନିଯୁକ୍ତି ସୃଷ୍ଟି କରିବ। ଏହାକୁ ହାତେଇବା ପାଇଁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।