ଚାଞ୍ଚଲ୍ୟ… କେନ୍ଦ୍ର ମନ୍ତ୍ରୀଙ୍କ ଦୁଇ ଭଣଜାଙ୍କ ମଧ୍ୟରେ ଗୁଳି ବିନିମୟ

ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ବିହାର, ୨୦/୦୩: କେନ୍ଦ୍ର ମନ୍ତ୍ରୀଙ୍କ ଦୁଇ ଭଣଜାଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜାଙ୍କ ମଧ୍ୟରେ ଗୁଳିବିନିମୟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ଜଣେ ଭଣଜାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ଭାଗଲପୁରର ନବଗାଛିଆର ପରବଟ୍ଟା ଥାନା ଅନ୍ତର୍ଗତ ଜଗତପୁର ଗାଁରେ। ମୃତକ ବିଶ୍ୱଜିତ ଯାଦବ ଓ ଆହତ ଜୟଜିତ ଯାଦବ ନିତ୍ୟାନନ୍ଦ ରାୟଙ୍କ ଭଉଣୀଙ୍କ ଦୁଇ ପୁଅ। ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ଭଉଣୀଙ୍କ ଦେହରେ ମଧ୍ୟ ଗୁଳି ବାଜି ଆହତ ହୋଇଛନ୍ତି। ସାମାନ୍ୟ ବିବାଦରୁ ଏଭଳି ଏକ ବଡ଼ ଅଘଟଣ ହୋଇଥିବାର ସୂଚନା ମିଳିଛି।

ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜା ଜୟଜିତ ଯାଦବ ଓ ବିଶ୍ୱଜିତ ଯାଦବଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଛି। ଗୁରୁବାର ମଧ୍ୟ ପାଣି ଭର୍ତ୍ତିକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ବିଶ୍ୱଜିତ ଯାଦବ ଗୁରୁବାର ସକାଳେ ଟ୍ୟାପ୍ ରୁ ପାଣି ଭର୍ତ୍ତି କରୁଥିଲେ, ଯାହାକୁ ଜୟଜିତ ଯାଦବ ବିରୋଧ କରିଥିଲେ। ଏହି ଝଗଡ଼ା ଏତେ ବଢି ଯାଇଥିଲା ଯେ, ବିଶ୍ୱଜିତ ଯାଦବ ଜୟଜିତ ଯାଦବଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ। ଏଥିରେ କ୍ରୋଧିତ ହୋଇ ଜୟଜିତ ଯାଦବ ମଧ୍ୟ ଗୁଳି ଚଳାଇଥିଲେ। ଏହି ସଂଘର୍ଷ ଭିତରେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ମା’ଙ୍କ ହାତରେ ଗୁଳି ବାଜି ଯାଇଥିଲା।

ଏହା ପରେ ତିନିଜଣଙ୍କୁ ଭାଗଲପୁରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ବିଶ୍ୱଜିତ ଯାଦବଙ୍କର ମୃତ୍ୟୁ ଘଟିଥିଲା। ଜୟଜିତଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା କୁହାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଜୟଜିତ ଯାଦବଙ୍କର ପୂର୍ବରୁ ଅପରାଧିକ ରେକର୍ଡ ରହିଛି। ତାଙ୍କ ବିରୋଧରେ ଏକାଧିକ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ତଦନ୍ତରୁ ଜଣାପଡ଼ିଛି।