ମିଆଁମାରରେ ଭୟଙ୍କର ଭୂମିକମ୍ପ
୯୦୦ କି.ମି. ଯାଏଁ ପ୍ରଭାବ
କୋଠା ଭୁଶୁଡ଼ି ୨ ମୃତ: ବ୍ୟାଙ୍କକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା
ନୂଆଦିଲ୍ଲୀ, ୨୮/୦୩: ଭାରତ ସୀମାନ୍ତ ମିଆଁମାରରେ ଭୟଙ୍କର ଭୂମିକମ୍ପ ହୋଇଥିବା ବେଳେ ରିଆକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୭ ଓ ୬.୪ ରହିଥିଲା। ଏଥିରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ। ଯାହା ପରେ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସେହିପରି ଭାରତର ମେଘାଳୟ, ବାଂଲାଦେଶ ଏବଂ ଚୀନର ଦକ୍ଷିଣ-ପଶ୍ଚିମ ୟୁନାନରେ ମଧ୍ୟ ପ୍ରବଳ ଝଟକା ଅନୁଭୂତ ହୋଇଛି।
ଭୂମିକମ୍ପର ପ୍ରଭାବ ଏତେ ଥିଲା ଯେ ଏହା ପ୍ରାୟ ୯୦୦ କିଲୋମିଟର ଦୂର ବ୍ୟାଙ୍କକର ଚତୁଚକରେ ଉଚ୍ଚ କୋଠା ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେହି କୋଠାରେ ୪୦ରୁ ଅଧିକ ଶ୍ରମିକ ଫସି ଯାଇଛନ୍ତି। ଭୂମିକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇଛନ୍ତି। ମିଆଁମାରର ମାଣ୍ଡାଲେରେ ଥିବା ପ୍ରସିଦ୍ଧ ଆଭା ବ୍ରିଜ୍ ଇରାବତୀ ନଦୀରେ ଭୁଶୁଡ଼ି ପଡ଼ିଥିବାର ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଆଁମାର ଏବଂ ଥାଇଲାଣ୍ଡର ସ୍ଥିତିକୁ ନେଇ ଚିନ୍ତିତ ଏବଂ ଭାରତର ସହାୟତା ପାଇଁ ପ୍ରସ୍ତାବ ଦେଇଛନ୍ତି। “ସମସ୍ତଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି। ଭାରତ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛି। ଏ ସଂକ୍ରାନ୍ତରେ ଆମେ ଆମ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତ ରହିବାକୁ କହିଛୁ। ଏଥିସହିତ ମିଆଁମାର ଓ ଥାଇଲାଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ବୈଦେଶିକ ମନ୍ତ୍ରଣାଳୟକୁ କୁହାଯାଇଛି।”