୪୦୦୦ ଲୋକଙ୍କ ଜୀବନ ଯାଇଥିଲା ଏହି ଭୟଙ୍କର ଭୂମିକମ୍ପ ଓ ଅଗ୍ନିକାଣ୍ଡରେ
ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’
ଆଜିର ତାରିଖ ୧୮ ଏପ୍ରିଲ୍ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଚଣ୍ଡେଶ୍ୱର ପ୍ରସାଦ ନାରାୟଣ ସିଂହ (୧୮ ଅପ୍ରେଲ ୧୯୦୧ – ୧୯୯୩), ଜଣେ ଭାରତୀୟ ରାଜନୀତିଜ୍ଞ। ୧୯୨୭ ମସିହାରେ ସେ ବିହାର ବିଧାନ ପରିଷଦର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ। ୧୯୭୭ ମସିହାରେ ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ତାଣ୍ଟିଆ ଟୋପେ (୧୮୧୪ – ୧୮ ଅପ୍ରେଲ ୧୮୫୯), ‘୧୮୫୭ ମସିହାରେ ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ ନାୟକଙ୍କ ମଧ୍ୟରେ ଅନ୍ୟତମ। ସେ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜରାଟ ଭଳି ସ୍ଥାନରେ ବ୍ରିଟିଶ ସେନା ସହ ଲଢ଼େଇ କରିଥିଲେ। ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପେଶୱା ନାନା ସାହେବଙ୍କ ସହ ଲଢ଼ିଥିଲେ। ୧୮୫୯ ମସିହା ଏପ୍ରିଲ ୧୮ ତାରିଖରେ ସିପ୍ରିଠାରେ ତାଙ୍କୁ ଫାଶୀ ଦିଆଯାଇଥିଲା।
୨. ଦାମୋଦର ହରି ଚାପେକର (୨୪ ଜୁନ ୧୮୬୯ – ୧୮ ଅପ୍ରେଲ ୧୮୯୮) ଭାରତର ସ୍ୱାଧୀନତା ସଂଗ୍ରାମରେ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ି ସହିଦ ହୋଇଥିଲେ। ଦାମୋଦର ହରି ଚାପେକର ଏବଂ ତାଙ୍କର ଦୁଇ ଭାଇ ବାଳକୃଷ୍ଣ ଚାପେକର ଏବଂ ବାସୁଦେବ ଚାପେକର ବାଲ ଗଙ୍ଗାଧର ତିଲକଙ୍କ ଦ୍ୱାରା ପ୍ରଭାବିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ।
୩. ବାରିନ୍ଦ୍ର କୁମାର ଘୋଷ (୫ ଜାନୁଆରୀ ୧୮୮୦ – ୧୮ ଅପ୍ରେଲ ୧୯୫୯) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ସାମ୍ବାଦିକ ଥିଲେ। ‘ସ୍ୱଦେଶୀ ଆନ୍ଦୋଳନ’ର ଫଳସ୍ୱରୂପ ବାରିନ୍ଦ୍ର କୁମାର ଘୋଷ ବିପ୍ଳବୀ ଚିନ୍ତାଧାରାର ପ୍ରଚାର ପ୍ରସାର ପାଇଁ ୧୯୦୬ ମସିହାରେ ବଙ୍ଗଳା ସାପ୍ତାହିକ ‘ଯୁଗନ୍ତର’ର ପ୍ରକାଶନ ଆରମ୍ଭ କରିଥିଲେ। ସେ ୧୯୦୭ ମସିହାରେ ‘ମାଣିକତଲ୍ଲା ପାର୍ଟି’ ଗଠନ କରିଥିଲେ। ୧୯୦୮ ମସିହାରେ ତାଙ୍କୁ ଗିରଫ କରାଯାଇ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଥିଲା। ଆଣ୍ଡାମାନ ଜେଲରେ ୧୦ ବର୍ଷ ରହିବା ପରେ ସେ ତାଙ୍କର ବାକି ଜୀବନ ସାମ୍ବାଦିକତାରେ ବିତାଇଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୯୦୬ – ସାନ୍ ଫ୍ରାନ୍ସିସ୍କୋରେ ଭୂମିକମ୍ପ ଓ ଅଗ୍ନିକାଣ୍ଡରେ ପାଖାପାଖି ୪୦୦୦ ଲୋକ ପ୍ରାଣ ହରାଇଥିଲେ।
୧୯୨୩ – ବ୍ରଙ୍କସରେ ୟାଙ୍କି ଷ୍ଟାଡିୟମ ଖୋଲାଯାଇଥିଲା।
୧୯୫୦ – ବିନୋବା ଭାବେ ଆନ୍ଧ୍ରପ୍ରଦେଶ (ବର୍ତ୍ତମାନ ତେଲେଙ୍ଗାନା)ର ପାଚମ୍ପଲ୍ଲୀ ଗ୍ରାମରୁ ଭୂଦାନ ଆନ୍ଦୋଳନ ଆରମ୍ଭ କରିଥିଲେ।
୧୯୫୫ – ବନ୍ଦୁଙ୍ଗରେ ଆଫ୍ରୋ-ଏସୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
୧୯୭୧ – ଦେଶର ପ୍ରଥମ ଜମ୍ବୋ ଜେଟ୍ ବିମାନ ୭୪୭ ଯାହାର ନାମ ଥିଲା “ସମ୍ରାଟ ଅଶୋକ” ମୁମ୍ବାଇରେ ଅବତରଣ କରିଥିଲା।
୧୯୯୪ – ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଏକ ଟେଷ୍ଟ ମ୍ୟାଚ୍ ର ଗୋଟିଏ ଇନିଂସରେ ୩୭୫ ରନ୍ କରି ସର୍ବାଧିକ ରନ୍ କରିବାର ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ।
୨୦୦୧ – ଭାରତୀୟ ସୀମାରେ ପ୍ରବେଶ କରିଥିବା ବାଂଲାଦେଶ ସେନାର ଗୁଳିରେ ୧୬ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ।
୨୦୦୮ – ଭାରତୀୟ କଏଦୀ ସରବଜିତ ସିଂହଙ୍କ ଫାଶୀକୁ ଏକ ମାସ ପାଇଁ ସ୍ଥଗିତ ରଖିଥିଲା ପାକିସ୍ତାନ।
୨୦୦୮ – ଭାରତ ଏବଂ ମେକ୍ସିକୋ ବେସାମରିକ ବିମାନ ଚଳାଚଳ ଏବଂ ଶକ୍ତି କ୍ଷେତ୍ରରେ ନୂତନ ଚୁକ୍ତି ସ୍ୱାକ୍ଷର କରିଥିଲେ।
୨୦୧୩ – ଇରାକର ରାଜଧାନୀ ବାଗଦାଦରେ ବୋମା ବିସ୍ଫୋରଣରେ ୨୭ ମୃତ, ୬୫ ଆହତ ହୋଇଥିଲେ।
୨୦୧୪ – ମାଉଣ୍ଟ ଏଭରେଷ୍ଟରେ ହିମସ୍ଖଳନରେ ନେପାଳର ୧୨ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିଲା।