ୟୁନେସ୍କୋ ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ଭାଗବତ ଗୀତା ଓ ନାଟ୍ୟଶାସ୍ତ୍ର

ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ୧୮/୦୪: ଭାରତର ସାଂସ୍କୃତିକ ଐତିହ୍ୟକୁ ମିଳିଲା ଆନ୍ତର୍ଜାତୀୟ ମାନ୍ୟତା। ଐତିହାସିକ ଭାଗବତ ଗୀତା ଓ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରର ପାଣ୍ଡୁଲିପି ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସ୍ଥାନିତ ହୋଇଛି। ଏହା ଭାରତୀୟ ସଂସ୍କୃତିର ସମୃଦ୍ଧ ଐତିହ୍ୟକୁ ଏକ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରୁଛି।

ଏହାକୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, “ବିଶ୍ୱର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ! ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଗୀତା ଓ ନାଟ୍ୟଶାସ୍ତ୍ର ସ୍ଥାନ ପାଇବା ଆମର କାଳଜୟୀ ଜ୍ଞାନ ଓ ସମୃଦ୍ଧ ସଂସ୍କୃତିର ବିଶ୍ୱସ୍ତରୀୟ ସ୍ୱୀକୃତି। ଗୀତା ଓ ନାଟ୍ୟଶାସ୍ତ୍ର ଶତାବ୍ଦୀ ଧରି ସଭ୍ୟତା ଓ ଚେତନାକୁ ପୋଷଣ କରିଆସିଛି। ଏହା ବିଶ୍ୱକୁ ପ୍ରେରଣା ଦେଉଛି” ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୟୁନେସ୍କୋ ଏହାର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ୭୪ଟି ନୂତନ ଡକ୍ୟୁମେଣ୍ଟାରୀ ଐତିହ୍ୟ ସଂଗ୍ରହକୁ ଯୋଡିଛି। ଯାହା ଫଳରେ ମୋଟ ସଂଗ୍ରହ ସଂଖ୍ୟା ୫୭୦କୁ ବୃଦ୍ଧି ପାଇଛି। ତେବେ ଭାରତର ଭାଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ମିଶାଇ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ମୋଟ ୧୪ଟି ଶିଳାଲେଖ ସ୍ଥାନିତ ହୋଇଛି।