ମୁମ୍ବାଇ, ୨୯/୦୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମହାରାଷ୍ଟ୍ରର ୬ ଜଣଙ୍କ ପରିବାରବର୍ଗ ପାଇଁ ବଡ଼ ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ରାଜ୍ୟ ସରକାର ପୀଡ଼ିତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି।
ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପିଲାମାନଙ୍କୁ ଶିକ୍ଷାଗତ ସହାୟତା ପ୍ରଦାନ କରାଯିବ ଏବଂ ମୃତକଙ୍କ ପରିବାରକୁ ଚଳାଇବା ତଥା ପ୍ରତିପୋଷଣ କରିବା ପାଇଁ ମୃତକଙ୍କ ରୋଜଗାରକ୍ଷମ ପୁଅ କିମ୍ବା ଝିଅଙ୍କୁ ଚାକିରି ମଧ୍ୟ ପ୍ରଦାନ କରାଯିବ।
ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପୀଡ଼ିତଙ୍କ ପରିବାରକୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଜମ୍ମୁ-କଶ୍ମୀର ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିଲେ।