ପ୍ରଧାନମନ୍ତ୍ରୀଙ୍କୁ ଖଡଗେ ଓ ରାହୁଲଙ୍କ ଚିଠି

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଲେ ବଡ଼ ପ୍ରସ୍ତାବ

ନୂଆଦିଲ୍ଲୀ, ୨୯/୦୪: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ‌ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଆତଙ୍କବାଦୀ ଆକ୍ରମଣ ଉପରେ ଆଲୋଚନା କରିବା ଏବଂ ସାମୂହିକ ଭାବେ ସମାଧାନର ବାଟ ବାହାର କରିବା ପାଇଁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଖଡଗେ କହିଛନ୍ତି, ଏହି ମୁହୂର୍ତ୍ତରେ ଯେତେବେଳେ ଏକତା ଜରୁରୀ, ବିରୋଧୀଦଳ ମାନେ ଚାହୁଁଛନ୍ତି ଯେ ଯଥାଶୀଘ୍ର ସଂସଦର ଉଭୟ ଗୃହର ସ୍ୱତନ୍ତ୍ର ଅଧିବେଶନ ଡାକିବା ଜରୁରୀ। ଏପ୍ରିଲ ୨୨ ରେ ନିରୀହ ନାଗରିକଙ୍କ ଉପରେ ପହଲଗାମରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଏହା ଆମର ସାମୂହିକ ସଂକଳ୍ପ ଏବଂ ଇଚ୍ଛାଶକ୍ତିର ଏକ ଶକ୍ତିଶାଳୀ ପ୍ରଦର୍ଶନ ହେବ ବୋଲି ଖଡଗେ କହିଛନ୍ତି।

ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି କହିଛନ୍ତି ଯେ ପହଲଗାମ ଘଟଣା ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି। ଏହି ଜଟିଳ ସମୟରେ ଭାରତକୁ ଦେଖାଇବାକୁ ହେବ ଯେ ଆତଙ୍କବାଦ ବିରୋଧରେ ଆମେ ସବୁବେଳେ ଏକାଠି ଠିଆ ହୋଇଛୁ। ସଂସଦର ଉଭୟ ଗୃହର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ଦରକାର, ଯେଉଁଠାରେ ଜନପ୍ରତିନିଧିମାନେ ସେମାନଙ୍କର ଏକତା ଓ ସଂକଳ୍ପ ପ୍ରଦର୍ଶନ କରିପାରିବେ ବୋଲି ରାହୁଲ କହିଛନ୍ତି।