ଏସ ଜୟଶଙ୍କର ଓ ଶେହବାଜ ସରିଫଙ୍କ ସହ କଥା ହେଲେ ଜାତିସଂଘ ମହାସଚିବ

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କଲେ ଆଣ୍ଟୋନିଓ ଗୁଟେରସ

ନୂଆଦିଲ୍ଲୀ, ୩୦/୦୪: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଫୋନ୍ କରି ଉଭୟ ଦେଶରେ ଶାନ୍ତି ସ୍ଥାପନା ପାଇଁ କଥା ହୋଇଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଫୋନ୍ କରିବା ବିଷୟରେ ସେ ଜୟଶଙ୍କର ଏକ୍ସ ଯୋଗେ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଆଣ୍ଟୋନିଓ ଗୁଟେରସ୍। ଏହି ଆକ୍ରମଣର ଦୋଷୀ, ଷଡ଼ଯନ୍ତ୍ରକାରୀ ଏବଂ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଭାରତ ସଂକଳ୍ପ ନେଇଛି ବୋଲି ଜୟଶଙ୍କର କହିଛନ୍ତି।

ଜାତିସଂଘ ମହାସଚିବ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଫୋନ୍ କରିଛନ୍ତି। ଏ ନେଇ ଶେହବାଜ ସରିଫ୍ ଏକ୍ସ ଯୋଗେ କହିଛନ୍ତି ଯେ ସେ ଆଣ୍ଟୋନିଓ ଗୁଟେରେସଙ୍କ ସହ କଥା ହୋଇଛନ୍ତି ଏବଂ ପହଲଗାମ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ମୁଁ ପାକିସ୍ତାନର ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କରୁଛି। ଭାରତର ଭିତ୍ତିହୀନ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରୁଛି। ପାକିସ୍ତାନ ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ, କିନ୍ତୁ ଚ୍ୟାଲେଞ୍ଜ ହେଲେ ନିଜ ସାର୍ବଭୌମତ୍ୱକୁ ପୂରା ବଳ ପ୍ରୟୋଗ ସହ ରକ୍ଷା କରିବ ବୋଲି ଶେହବାଜ ସରିଫ କହିଛନ୍ତି।