ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ଼ର ପୁନର୍ଗଠନ କଲେ କେନ୍ଦ୍ର ସରକାର
ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପୂର୍ବତନ ର’ ମୁଖ୍ୟ ଆଲୋକ ଯୋଶୀ
ନୂଆଦିଲ୍ଲୀ, ୩୦/୦୪: କେନ୍ଦ୍ର ସରକାରଙ୍କ ଦ୍ୱାରା ବୁଧବାର ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ପୁନର୍ଗଠନ କରାଯାଇଛି। ଏହି ବୋର୍ଡରେ ପୂର୍ବତନ ର’ ମୁଖ୍ୟ ଆଲୋକ ଯୋଶୀଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ଉତ୍ତେଜନା ବଢ଼ୁଥିବା ବେଳେ ଭାରତ ସରକାର ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (ଏନ୍ଏସ୍ଏବି)ରେ ସଂସ୍କାର ଆଣି ସଶସ୍ତ୍ର ବାହିନୀ, ଗୁଇନ୍ଦା, କୂଟନୀତି ଏବଂ ପୁଲିସ ସେବାର ଶୀର୍ଷ ପୂର୍ବତନ ଅଧିକାରୀଙ୍କୁ ସାମିଲ କରିଛନ୍ତି।
ଏହି ବୋର୍ଡରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ପଶ୍ଚିମ ବାୟୁସେନାର ପୂର୍ବତନ କମାଣ୍ଡର ଏୟାର ମାର୍ଶାଲ ପିଏମ ସିହ୍ନା, ଦକ୍ଷିଣ ସେନାର ପୂର୍ବତନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏକେ ସିଂହ ଏବଂ ରିୟର ଆଡମିରାଲ ମଣ୍ଟି ଖାନ୍ନା ସାମରିକ ସେବାର ଅବସରପ୍ରାପ୍ତ ଅଧିକାରୀ ଅଛନ୍ତି। ଏହି ୭ ଜଣିଆ ବୋର୍ଡରେ ଅନ୍ୟ ତିନି ଜଣ ସଦସ୍ୟ ହେଲେ ପୂର୍ବତନ ଆଇପିଏସ୍ ଅଫିସର ରାଜୀବ ରଞ୍ଜନ ବର୍ମା ଓ ମନମୋହନ ସିଂହ ଏବଂ ପୂର୍ବତନ ଆଇଏଫଏସ ଅଧିକାରୀ ବି ଭେଙ୍କଟେଶ ବର୍ମା।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଦୁଇଟି ବୈଠକ ହୋଇଥିଲା। ପ୍ରଥମେ ରାଷ୍ଟ୍ରୀୟ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଏସ୍) ଏବଂ ପରେ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିପିଏ) ବୈଠକ ଅନୁଷ୍ଠିତ ହୋଇଥିଲା।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ ଏବଂ ତିନି ସେନା ମୁଖ୍ୟ ଏହି ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ।