ଭୁବନେଶ୍ୱର, ୦୧/୦୫: ପାକିସ୍ତାନ ସହ ଓଡ଼ିଶାର ରହିଛି ଐତିହାସିକ ସମ୍ପର୍କ। ହୁଏତ ଇତିହାସରେ ଏହି ପ୍ରସଙ୍ଗକୁ ବେଶୀ ଚର୍ଚ୍ଚା କରାଯାଇନାହିଁ, କିନ୍ତୁ ଓଡ଼ିଶା ସହ ପାକିସ୍ତାନର ଦିନେ ଐତିହାସିକ ରାଜନୈତିକ ସମ୍ପର୍କ ଥିଲା। ପାକିସ୍ତାନର ପ୍ରଥମ ରାଷ୍ଟ୍ରପତି ଇସ୍କନ୍ଦର ମିର୍ଜା ଓଡ଼ିଶାର ପଲିଟିକାଲ ଏଜେଣ୍ଟ ଥିଲେ। ୧୯୪୫ ମସିହାରେ ବ୍ରିଟିଶ ସରକାର ଇସ୍କନ୍ଦର ମିର୍ଜାଙ୍କୁ ଓଡ଼ିଶା ପାଇଁ ପ୍ରଥମ ପଲିଟିକାଲ ଏଜେଣ୍ଟ ଭାବେ ନିଯୁକ୍ତ କରିଥିଲେ। ବ୍ରିଟିଶ ରାଜ ସମୟରେ ମିର୍ଜା ଭାରତୀୟ ରାଜନୈତିକ ସେବା (ଆଇପିଏସ୍)ରେ ଥିଲେ। ମିର୍ଜା ୧୯୪୫ରୁ ୧୯୪୬ ପର୍ଯ୍ୟନ୍ତ ଓଡ଼ିଶା ଓ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶର ରାଜନୈତିକ ଏଜେଣ୍ଟ ଭାବେ ନିଯୁକ୍ତ ହୋଇ କାର୍ଯ୍ୟ କରିଥିଲେ। ସେ ସମୟରେ ଓଡ଼ିଶାର ଗଭର୍ଣ୍ଣର ଥିଲେ ସାର ୱିଲିୟମ୍ ହଥୋର୍ଣ୍ଣ ଲିୱିସ ଥିଲେ। ଓଡ଼ିଶା ସେ ସମୟରେ ଗଭର୍ଣ୍ଣର ଶାସନରେ ଶାସିତ ହେଉଥିଲା। ୧୯୪୬ ମସିହା ଜୁଲାଇ ୧୬ ତାରିଖରେ ମିର୍ଜା ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବେ ପଦୋନ୍ନତି ପାଇଥିଲେ।
କିଏ ଇସ୍କନ୍ଦର ମିର୍ଜା ଜାଣନ୍ତୁ:-
ଇସ୍କାନ୍ଦର ଅଲ୍ଲୀ ମିର୍ଜା (୧୩ ନଭେମ୍ବର ୧୮୯୯ – ୧୩ ନଭେମ୍ବର ୧୯୬୯) ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ରାଜନେତା ଓ ସାମରିକ ଜେନେରାଲ ଥିଲେ। ୧୯୫୫ରୁ ୧୯୫୬ ପର୍ଯ୍ୟନ୍ତ ପାକିସ୍ତାନର ଚତୁର୍ଥ ତଥା ଶେଷ ଗଭର୍ଣ୍ଣର ଜେନେରାଲର ଡୋମିନିୟନ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ୧୯୫୬ରୁ ୧୯୫୮ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଥମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ।
ମିର୍ଜା ବମ୍ବେ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଲାଭ କରିବା ପରେ ସାଣ୍ଡହର୍ଷ୍ଟର ରୟାଲ ମିଲିଟାରୀ କଲେଜରେ ପାଠ ପଢିଥିଲେ। ବ୍ରିଟିଶ ଭାରତୀୟ ସେନାରେ ସାମରିକ ସେବା ପରେ ସେ ଭାରତୀୟ ରାଜନୈତିକ ସେବାରେ ଯୋଗ ଦେଇଥିଲେ। ୧୯୪୬ ରେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ ପଦୋନ୍ନତି ପାଇବା ପର୍ଯ୍ୟନ୍ତ ବ୍ରିଟିଶ ଶାସିତ ଭାରତର ପଶ୍ଚିମାଞ୍ଚଳରେ ଜଣେ ରାଜନୈତିକ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥିଲେ। ୧୯୪୭ ମସିହାରେ ପାକିସ୍ତାନ ସ୍ୱାଧୀନ ହେବା ପରେ ମିର୍ଜାଙ୍କୁ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାନ୍ ପ୍ରଥମ ପ୍ରତିରକ୍ଷା ସଚିବ ଭାବରେ ନିଯୁକ୍ତ କରିଥିଲେ। ୧୯୫୨ରୁ ୧୯୫୫ ପର୍ଯ୍ୟନ୍ତ ବଙ୍ଗ ପ୍ରଦେଶର ରାଜ୍ୟପାଳ ମଧ୍ଯ ଥିଲେ। ୧୯୫୬ରେ ପାକିସ୍ତାନର ପ୍ରଥମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ଯଦିଓ ୨ ବର୍ଷ ପରେ ୧୯୫୮ରେ ସେ ଇସ୍ତଫା ଦେଇଥିଲେ। ସେ ୧୩ ନଭେମ୍ବର ୧୯୬୯ ମସିହାରେ ଲଣ୍ଡନରେ ମୃତ୍ୟୁ ବରଣ କରିଥିଲେ।