ନୂଆଦିଲ୍ଲୀ, ୦୨/୦୫: ରାମ ମନ୍ଦିରକୁ ଯିବା ପାଇଁ ଥିବା ମାର୍ଗ ରାମ ପଥରେ ଆମିଷ ଓ ନିଶା ଦ୍ରବ୍ୟ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ଅଯୋଧ୍ୟା ଓ ଫୈଜାବାଦ ସହରକୁ ସଂଯୋଗ କରୁଥିବା ଏହି ୧୪ କିଲୋମିଟର ରାସ୍ତାରେ ମଦ ଓ ମାଂସ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଅଯୋଧ୍ୟା ମହାନଗର ନିଗମ ନିଷ୍ପତ୍ତି ନେଇଛି। ଅଯୋଧ୍ୟା ମେୟର ଗିରିଶ ପତି ତ୍ରିପାଠୀ ଗୁରୁବାର ଏହି ଘୋଷଣା କରିଥିଲେ। ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ଏହା ଘୋଷଣା କରାଯିବ।
ପାନ, ଗୁଟଖା, ବିଡ଼ି, ସିଗାରେଟ୍ ଓ ଅନ୍ତଃବସ୍ତ୍ରର ବିଜ୍ଞାପନ ଉପରେ ମଧ୍ୟ ଏହି କଟକଣା ଲାଗୁ ହେବ। ଅଯୋଧ୍ୟାରେ ମାଂସ ଓ ମଦ ବିକ୍ରି ଦୀର୍ଘ ଦିନ ଧରି ହୋଇନଥିବା ବେଳେ ନୂତନ ଭାବେ ଫୈଜାବାଦ ସହରକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଦୁଇ ସହରକୁ ଲଗାଇ ସମଗ୍ର ରାମ ପଥ ରହିଛି। ଫୈଜାବାଦର ୫ କିଲୋମିଟର ପର୍ଯ୍ୟନ୍ତ ରାମ ପଥ ରହିଛି। ଧାର୍ମିକ ଭାବନାକୁ ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।