‘ପାଣି ଆଉ ରକ୍ତ ଏକାଠି ବହି ପାରିବନି’
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
ଯୁଦ୍ଧ ବନ୍ଦ ପାଇଁ ପାକିସ୍ତାନ ସେନା ଅନୁରୋଧ କରିଥିଲା: ଭାରତର ଆଭିମୁଖ୍ୟ ଦେଖି ପାକିସ୍ତାନ ଭୟଭୀତ
ନୂଆଦିଲ୍ଲୀ, ୧୨/୦୫: ଅପରେସନ ସିନ୍ଦୁର ପରେ ପ୍ରଥମ ଥର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ପରମାଣୁ ବ୍ଲାକମେଲକୁ ଭାରତ ବରଦାସ୍ତ କରିବ ନାହିଁ। ଭାରତ ଓ ପାକିସ୍ତାନ ମଧ୍ୟରେ ବୁଝାମଣା କେବଳ ଏକ ‘ବିରାମ’। ଆମେ ପାକିସ୍ତାନର ଆତଙ୍କବାଦ ଏବଂ ସାମରିକ ସ୍ଥଳରେ ଆମର ପ୍ରତି ଆକ୍ରମଣ ବନ୍ଦ କରିଦେଇଛୁ। କିନ୍ତୁ କେବଳ ସୀମିତ ପାଇଁ। ଭାରତ କୌଣସି ପ୍ରକାର ଆତଙ୍କବାଦକୁ ବରଦାସ୍ତ କରିବ ନାହିଁ ଆଗକୁ ଏଭଳି ବିପଦର ଦୃଢ଼ ଜବାବ ଦେବ। ଯଦି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ଏହାର ଉଚିତ ଜବାବ ଦିଆଯିବ। ଏହାକୁ ଯୁଦ୍ଧ ଭାବେ ମାନିନିଆ ଯିବ। ଆତଙ୍କବାଦକୁ ସମୂଳେ ନାଶ କରିବା ଯାଏଁ ଆମେ ପୁଣି କଡ଼ା ଆଭିମୁଖ୍ୟ ଗ୍ରହଣ କରିବୁ। ଦରକାର ପଡ଼ିଲେ ଆମେ ପୁଣି ଯୁଦ୍ଧ ଘୋଷଣା କରିବୁ। ଆମେ ଆତଙ୍କବାଦୀ ସମର୍ଥିତ ସରକାର ଏବଂ ଆତଙ୍କବାଦର ନେତାମାନଙ୍କୁ କିଛି ସ୍ୱତନ୍ତ୍ର ଭାବେ ଦେଖିବୁ ନାହିଁ। ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ସେନାର ଶୀର୍ଷ ଅଧିକାରୀମାନେ ନିହତ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ସାରା ବିଶ୍ୱ ପୁଣି ଥରେ ପାକିସ୍ତାନର ପ୍ରକୃତ ମୁହଁ ଦେଖିଥିଲା। ଏହା ହେଉଛି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ଏକ ବଡ଼ ପ୍ରମାଣ।
ଅଧିକ ପଢନ୍ତୁ: ଅପରେସନ ସିନ୍ଦୂରରେ ପ୍ରାଣ ହରାଇଛନ୍ତି ୪୦ ପାକ ସେନା ଯବାନ
ଏହି ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଆତଙ୍କବାଦର ଅନେକ ମାଲିକ ପାଖାପାଖି ତିନି ଦଶନ୍ଧି ଧରି ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଥିଲେ। କିନ୍ତୁ ଭାରତ ଗୋଟିଏ ଝଟକାରେ ଏହାକୁ ଶେଷ କରିଦେଲା। ଭାରତର ଆକ୍ରମଣ ଦେଖି ପାକିସ୍ତାନ ଭୟଭୀତ। ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତକୁ ସାହାଯ୍ୟ କରିବା ପରିବର୍ତ୍ତେ ଭାରତ ଉପରେ ଆକ୍ରମଣ କରିଛି। ସେମାନେ ଆମ ସ୍କୁଲ, କଲେଜ, ଗୁରୁଦ୍ୱାର, ମନ୍ଦିର, ନିରୀହ ନାଗରିକଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ସାରା ବିଶ୍ୱ ଦେଖିଲା। ମେ’ ୭ ତାରିଖ ରାତି ୧ଟା ୫ ମିନିଟ୍ ରେ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରର ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆକ୍ରମଣ ମାତ୍ର ୨୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ଏହାର ପ୍ରଭାବ ଆଗାମୀ ଯୁଗ ପର୍ଯ୍ୟନ୍ତ ଭୁଲିହେବ ନାହିଁ। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆମେ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲୁ। ଆଜି ସମସ୍ତ ଆତଙ୍କୀ ଶିବିର ଆମ ଝିଅ ଓ ଭଉଣୀମାନଙ୍କ ସିନ୍ଦୁର ପୋଛି ଦେବାର ପରିଣାମ ବୁଝି ପାରିଛନ୍ତି। କେବଳ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିନାହିଁ ଭାରତ, ବରଂ ସେମାନଙ୍କ ମନୋବଳ ଭାଙ୍ଗି ଦେଇଛି। ଆତଙ୍କବାଦୀମାନେ କେବେ ସ୍ୱପ୍ନରେ ଭାବି ନଥିବେ ଯେ ଭାରତ ଏମିତି କରିପାରିବ, କିନ୍ତୁ ଭାରତ ଏପରି କରି ଦେଖାଇଲା। ଭାରତର ଆକ୍ରମଣ ଦେଖି ପାକିସ୍ତାନ ବଞ୍ଚିବା ଓ ସାହାରା ପାଇବା ପାଇଁ ସାରା ବିଶ୍ୱକୁ ନିବେଦନ କରିଥିଲା। ପାକିସ୍ତାନୀ ସେନା ମେ ୧୦ ତାରିଖ ଅପରାହ୍ନରେ ଆମ ଡିଜିଏମଓଙ୍କ ସହ ଯୋଗାଯୋଗ କରିଥିଲା। ପାକିସ୍ତାନ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆମ ଦେଶର ସାମରିକ ଅନୁଷ୍ଠାନକୁ ଟାର୍ଗେଟ କରିବା ନାହିଁ ବୋଲି କହିବାରୁ ଆମେ ତାଙ୍କ ଅନୁରୋଧ ରକ୍ଷା କରିଥିଲୁ ଓ ଯୁଦ୍ଧ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ଆତଙ୍କବାଦ ଓ କଥାବାର୍ତ୍ତା ଏକା ସାଙ୍ଗରେ ହୋଇପାରିବ ନାହିଁ। ଆତଙ୍କବାଦ ସହ ବାଣିଜ୍ୟ ଏକାଠି ହୋଇ ପାରିବ ନାହିଁ। ଏବଂ ରକ୍ତ ଓ ପାଣି ମଧ୍ୟ ଏକାସାଙ୍ଗରେ ପ୍ରବାହିତ ହୋଇପାରିବ ନାହିଁ। ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ହେବ ତାହାଲେ କେବଳ ଆତଙ୍କବାଦ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହେବ। ପାକିସ୍ତାନୀ ସେନା ଓ ସରକାର ଯେଭଳି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି, ଦିନେ ଏହା ନିଜେ ପାକିସ୍ତାନକୁ ଶେଷ କରିଦେବ। ଯଦି ପାକିସ୍ତାନ ନିଜକୁ ବଞ୍ଚାଇବାକୁ ଚାହୁଁଛି, ତା’ହେଲେ ତା’ର ଆତଙ୍କବାଦକୁ ସମୂଳେ ନାଶ କରିବାକୁ ପଡ଼ିବ। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆମେ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ଅଧିକାର ଦେଇଥିଲୁ। ଅପରେସନ ସିନ୍ଦୂରର ଲକ୍ଷ୍ୟ ପୂରଣ କରିବାରେ ସଶସ୍ତ୍ର ବାହିନୀ, ଗୁଇନ୍ଦା ଏଜେନ୍ସି ମାନଙ୍କ ଉଦ୍ୟମ ବ୍ୟର୍ଥ ଯିବ ନାହିଁ। ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରତିଟି ବ୍ୟକ୍ତିଙ୍କ ପରିବାରକୁ ନ୍ୟାୟ ଦେଇଛନ୍ତି।
ସୂଚନାଯୋଗ୍ୟ ଗତ ଏପ୍ରିଲ ୨୨ ତାରିଖରେ ଦକ୍ଷିଣ କାଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ପର୍ଯ୍ୟଟକଙ୍କ ଉପରକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ଆତଙ୍କୀ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ନେପାଳୀ ପର୍ଯ୍ୟଟକ ଥିଲେ। ଏଥିରେ ମୃତାହତ ପ୍ରତି ବ୍ୟକ୍ତିଙ୍କ ପରିବାରକୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ଏହା ପରେ ଆରମ୍ଭ ହୋଇଥିଲା ‘ଅପରେସନ ସିନ୍ଦୂର’। ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରର ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରିଥିଲା ଭାରତ। ମାତ୍ର ୨୫ ମିନିଟର ଆକ୍ରମଣରେ ୧୦୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିପାତ ହୋଇଥିଲେ।
ଅଧିକ ପଢନ୍ତୁ: ‘ଅପରେସନ ସିନ୍ଦୂର’: ମାଟିରେ ମିଶିଲେ ଟପ୍ ଆତଙ୍କୀ