ଇରାନରେ ଭାରତୀୟ ଯୁବକଙ୍କୁ ଅପହରଣ
ମିଳୁନି ପତ୍ତା; ଛାଡ଼ିବା ପାଇଁ ମାଗୁଛନ୍ତି ଲାଞ୍ଚ
ଡଙ୍କି ରୁଟ ଦେଇ ଇରାନ ନେଇଛନ୍ତି ଏଜେଣ୍ଟ
ନୂଆଦିଲ୍ଲୀ, ୨୯/୦୫: ଇରାନ ବୁଲିବାକୁ ଯାଇ ୩ ଜଣ ଭାରତୀୟ ନାଗରିକ ନିଖୋଜ ହୋଇଯାଇଛନ୍ତି। ଏ ନେଇ ତେହେରାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ନିଖୋଜ ଭାରତୀୟ ନାଗରିକଙ୍କୁ ଖୋଜିବା ବାହାର କରିବା ସହ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଭାରତୀୟ ଦୂତାବାସ ଇରାନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି। ତେହେରାନରେ ଥିବା ଭାରତୀୟ ଦୂତାବାସ ନିଖୋଜ ୩ ଜଣଙ୍କ ପରିବାର ସହିତ ଯୋଗାଯୋଗରେ ଅଛନ୍ତି।
ଏହି ତିନି ଜଣ ପଞ୍ଜାବର ସଙ୍ଗରୁର, ନୱାନସହର ଏବଂ ହୋସିଆରପୁର ଜିଲ୍ଲାର ବାସିନ୍ଦା। ସେମାନେ ଦିଲ୍ଲୀରୁ ବିମାନ ଯୋଗେ ୱାର୍କ ପରମିଟରେ ଅଷ୍ଟ୍ରେଲିଆରେ ପହଞ୍ଚିବାର ଥିଲା। ହେଲେ ସେମାନେ ଅଷ୍ଟ୍ରେଲିଆ ନ ଯାଇ ଏଜେଣ୍ଟମାନେ ସେମାନଙ୍କୁ ଇରାନ ନେଇଯାଇଥିଲେ। ପରେ ସେମାନଙ୍କୁ ଅପହରଣ କରାଯାଇଥିଲା।
ପଞ୍ଜାବର ଜଣେ ଯୁବକଙ୍କ ମା’ ଅଭିଯୋଗ କରିଛନ୍ତି ଯେ ମେ’ ପହିଲାରୁ ସେମାନଙ୍କୁ ଇରାନରେ ଅପହରଣ କରାଯାଇଛି ଏବଂ ଅପହରଣକାରୀମାନେ ସେମାନଙ୍କୁ ଛାଡ଼ିବା ପାଇଁ ଲାଞ୍ଚ ମାଗିଛନ୍ତି।
ସଙ୍ଗରୁରରେ ଥିବା ଅପହୃତ ହୁସନପ୍ରୀତଙ୍କ ମା’ ଅଭିଯୋଗ କରିଛନ୍ତି ଯେ ଟ୍ରାଭେଲ ଏଜେଣ୍ଟମାନେ ସେମାନଙ୍କଠାରୁ ଟଙ୍କା ନେଇଥିଲେ କିନ୍ତୁ ଡଙ୍କି ରୁଟ ଦେଇ ସେମାନଙ୍କୁ ଇରାନ ନେଇ ଯାଇଥିଲେ ଏଜେଣ୍ଟ। ସେମାନେ ଅପହୃତଙ୍କ ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି। ଭିଡ଼ିଓରେ ସେମାନଙ୍କ ହାତ ଗୋଡ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଏହା ସହ ଶରୀରରେ କଟା ଓ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି।
ତେବେ ଅପହୃତ ଯୁବକଙ୍କ ପରିବାର ଲୋକେ କହିଛନ୍ତି ଯେ, ଅପହରଣ ହେବାର କିଛି ଦିନ ପରେ ପରିବାର ଲୋକମାନେ ସେମାନଙ୍କ ସହ କଥା ବାର୍ତ୍ତା କରୁଥିଲେ। କିନ୍ତୁ ମେ ୧୧ ତାରିଖ ପରଠାରୁ ସେମାନଙ୍କ ସହ ଆଉ କଥା ହୋଇନାହାନ୍ତି।
ଅନ୍ୟପଟେ ଯୁବକଙ୍କୁ ଇରାନ୍ ପଠାଇଥିବା ହୋସିଆରପୁରର ଏଜେଣ୍ଟ ଫେରାର ଥିବା ଜଣାପଡ଼ିଛି। ପରିବାର ଲୋକେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।