ଜି-୭ ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ
ମୋଦିଙ୍କୁ କାନାଡ଼ାର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଫୋନ
ଯୋଗ ଦେବେ କି ନାହିଁ ଏକ୍ସରେ ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ୦୬/୦୬: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ କାନାଡାର କାନାନାସ୍କିସରେ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ ବୋଲି ନିଶ୍ଚିତ କରିଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କାନାଡାର ପ୍ରଧାନମନ୍ତ୍ରୀ ମାର୍କ ଜେ କାର୍ନିଙ୍କୁ ନିକଟରେ ନିର୍ବାଚନରେ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଚଳିତ ମାସ ଶେଷରେ କାନାନାସ୍କିସରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଜି-୭ ହେଉଛି ବିଶ୍ୱର ସବୁଠାରୁ ଶିଳ୍ପୋନତ ଅର୍ଥନୀତି, ଯେଉଁଥିରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାକୁ ନେଇ ଗଠିତ ଏକ ସଂଗଠନ। ଏଥିରେ ୟୁରୋପୀୟ ସଂଘ (ଇୟୁ), ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ), ବିଶ୍ୱ ବ୍ୟାଙ୍କ ଏବଂ ଜାତିସଂଘ ମଧ୍ୟ ଯୋଗ ଦେଇଛନ୍ତି।
କାନାଡ଼ାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କାର୍ଯ୍ୟରେ ଥିବା ବେଳେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜରଙ୍କ ହତ୍ୟା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିବା ପରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଗିଡ଼ି ଯାଇଥିଲା। ଯଦିଓ ଭାରତ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଥିଲା, କିନ୍ତୁ ସାରା ବିଶ୍ୱରେ ଏ ପ୍ରସଙ୍ଗ ଚହଳ ପକାଇଥିଲା।