ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ ଭାରତ ସରକାରଙ୍କ ଲାଇସେନ୍ସ ପ୍ରଦାନ

ଜାତୀୟ ନିରାପତ୍ତା କାରଣରୁ ୨୦୨୨ରୁ ଷ୍ଟାର ଲିଙ୍କର ଆବେଦନକୁ ଲାଇସେନ୍ସ ପ୍ରଦାନ କରିବାରେ ବିଳମ୍ବ ହୋଇଥିଲା

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ସ୍ପିଡ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ, ୦୬/୦୬: ଖୁବଶୀଘ୍ର ଭାରତକୁ ଆସିବ ଏଲନ ମସ୍କଙ୍କ ଷ୍ଟାରଲିଙ୍କ କମ୍ପାନୀ। ଦୁଇ ବର୍ଷର ଅପେକ୍ଷା ପରେ ଶେଷରେ ଷ୍ଟାର ଲିଙ୍କକୁ ଅନୁମୋଦନ ଦେଇଛନ୍ତି ଭାରତ ସରକାର। ଖାଲି କମର୍ସିଆଲ ଲୋକାର୍ପଣକୁ ଅପେକ୍ଷା ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥା ପିଟିଆଇ ସୂତ୍ରରୁ ସୂଚନା ମିଳିଛି।

ଟେଲିକମ ବିଭାଗ ପକ୍ଷରୁ ଲାଇସେନ୍ସ ପାଇବାରେ ଷ୍ଟାର ଲିଙ୍କ ହେଉଛି ତୃତୀୟ କମ୍ପାନୀ। ଏହା ପୂର୍ବରୁ ୟୁଟେଲସାଟ୍ ର ୱାନ୍ ୱେବ୍ ଏବଂ ରିଲାଏନ୍ସ ଜିଓର ସାଟେଲାଇଟ୍ ଶାଖାକୁ ଅନୁମୋଦନ ମିଳିଥିଲା। ୟୁଟେଲସାଟ୍ ର ୱାନ୍ ୱେବ୍ ଏବଂ ରିଲାଏନ୍ସ ଜିଓ ଉଭୟ ସାଟେଲାଇଟ ଇଣ୍ଟରନେଟ ସେବା ଯୋଗାଇ ଦିଅନ୍ତି।

ଷ୍ଟାରଲିଙ୍କ୍ ୨୦୨୨ରେ ଲାଇସେନ୍ସ ପାଇଁ ଆବେଦନ କରିଥିଲା, କିନ୍ତୁ ଜାତୀୟ ନିରାପତ୍ତା ସମେତ ବିଭିନ୍ନ କାରଣରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ଷ୍ଟାରଲିଙ୍କ ଆସିବା ପରେ ନିଜର ସାଟେଲାଇଟ୍ ନେଟୱାର୍କ ବ୍ୟବହାର କରି ଭାରତରେ ହାଇସ୍ପିଡ୍ ଇଣ୍ଟରନେଟ୍ ଯୋଗାଇ ପାରିବ। ଭାରତର ଦୁର୍ଗମ ଏବଂ ଗ୍ରାମୀଣ ଅଞ୍ଚଳରେ ସୁଲଭ ଇଣ୍ଟରନେଟ୍ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଅନ୍ୟପକ୍ଷରେ ଆମାଜନର ସାଟେଲାଇଟ୍ ପ୍ରୋଜେକ୍ଟ କୁଇପର ଏବେ ବି ଭାରତ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ଅଛି।

ଷ୍ଟାରଲିଙ୍କ ହେଉଛି ଏକ ସାଟେଲାଇଟ୍ ଇଣ୍ଟରନେଟ୍ ସେବା, ଯାହା ୨୦୦୨ ମସିହାରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ମସ୍କଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ସାଟେଲାଇଟ୍ ଟେକ୍ନୋଲୋଜି ବ୍ୟବହାର କରି ଏହା ବିଶ୍ୱବ୍ୟାପୀ ହାଇସ୍ପିଡ୍, ଲୋ-ଲେଟେନ୍ସି ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ପ୍ରଦାନ କରିଥାଏ।