ବିଜାପୁର, ୦୭/୦୬: ଛତିଶଗଡ଼ର ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ଗତ ତିନି ଦିନ ଧରି ଚାଲିଥିବା ପୃଥକ ଅପରେସନରେ ଟଳିଲେଣି ଅନେକ ଆତଙ୍କବାଦୀ। ଏଯାବତ୍ ୭ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯେଉଁ ନକ୍ସଲ କମାଣ୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି ସେମାନଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ଗୌତମ ଓରଫ ସୁଧାକର ଏବଂ ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ ଭାସ୍କର ଅଛନ୍ତି।
ଗତ ଜୁନ୍ ୫ ତାରିଖରେ ସୁରକ୍ଷା ବାହିନୀ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ (ସିସିଏମ) ଗୌତମ ଓରଫ ସୁଧାକରର ମୃତ ଦେହକୁ ଜବତ କରିଥିବା ବେଳେ ଜୁନ୍ ୬ ତାରିଖରେ ତେଲେଙ୍ଗାନା ରାଜ୍ୟ କମିଟି (ଟିଏସସି) ସଦସ୍ୟ ଭାସ୍କରର ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ଜୁନ୍ ୬ ଓ ୭ ତାରିଖ ମଧ୍ୟରାତ୍ରିରେ ଏନକାଉଣ୍ଟର ବେଳେ ଆଉ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଶନିବାର ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଆଉ ଦୁଇଟି ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇଥିବା ୭ଟି ମାଓବାଦୀଙ୍କ ମୃତଦେହ ମଧ୍ୟରୁ ୨ ଜଣ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପରିଚୟ ମିଳି ପାରିନାହିଁ।
ଏନକାଉଣ୍ଟର ସ୍ଥଳରୁ ଦୁଇଟି ଏକେ-୪୭ ଆସଲ୍ଟ ରାଇଫଲ ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି।
ନିକଟରେ ବିଜାପୁରରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଶୀର୍ଷ ମାଓ ନେତା ସୁଧାକର ନିହତ ହୋଇଥିବା ବେଳେ ତା’ ଉପରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେହିପରି ଭାସ୍କର ଉପରେ ମୋଟ ୪୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା; ଏଥିରେ ଛତିଶଗଡ଼ରେ ୨୫ ଲକ୍ଷ ଓ ତେଲେଙ୍ଗାନାରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।
ତେବେ ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କୁ ଖୋଜିବା ସୁରକ୍ଷାକର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଖପାଖ ଅଞ୍ଚଳରେ ବହୁ ମାଓବାଦୀ ଲୁଚି ରହିଥିବା ଆଶଙ୍କା କରି ଅନବରତ ସର୍ଚ୍ଚ ଅପରେସନ ଚଳାଇଛନ୍ତି ସୁରକ୍ଷାକର୍ମୀ। ସେପଟେ ଘଞ୍ଚ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଚାଲୁଥିବାରୁ ସାପ କାମୁଡା ଓ ମହୁମାଛି ଆକ୍ରମଣର ସାମ୍ନା କରିବାକୁ ପଡୁଛି ସୁରକ୍ଷାକର୍ମୀଙ୍କୁ। ଅସୁସ୍ଥ ସୁରକ୍ଷାକର୍ମୀଙ୍କୁ ତୁରନ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି।