ଭିଜିଲାନ୍ସ ଜାଲରେ IAS ଅଫିସର

ଉପଜିଲ୍ଲାପାଳଙ୍କୁ ରେଡ୍ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ

କ୍ୱାର୍ଟର୍ସରୁ ନଗଦ ୪୭ ଲକ୍ଷ ଜବତ

ଧର୍ମଗଡ଼, ୦୯/୦୬: ଭିଜିଲାନ୍ସ ଜାଲରେ ଫସିଲେ IAS ଅଫିସର। ଲାଞ୍ଚ ନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚାକମା ରେଡ୍ ହ୍ୟାଣ୍ଡ ଧରାପଡ଼ିଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠୁ ଲାଞ୍ଚ ନେଉଥିଲେ। ରେଡ୍ ବେଳେ ତାଙ୍କ କ୍ବାର୍ଟର୍ସରୁ ନଗଦ ୪୭ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ।

ସୂଚନାନୁସାରେ, ଉପଜିଲ୍ଲାପାଳ ଅଭିଯୋଗକାରୀଙ୍କୁ ଧର୍ମଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଡାକି ଲାଞ୍ଚ ଟଙ୍କା ନେଇଥିଲେ, ବିଭିନ୍ନ ମୂଲ୍ୟର ୨୬ଟି ୧୦୦ ଟଙ୍କିଆ ବଣ୍ଡଲକୁ ନିଜ ହାତରେ ଯାଞ୍ଚ କରି ନିଜ କାର୍ଯ୍ୟାଳୟ ଟେବୁଲ ଡ୍ରୟରରେ ରଖିଥିଲେ। ଭିଜିଲାନ୍ସ ଚଢ଼ାଉ କରି ଉପଜିଲ୍ଲାପାଳଙ୍କ ହାତ ଧୋଇବା ଏବଂ ଟେବୁଲ ଡ୍ରୟର ଧୋଇବାରୁ ଉଭୟ ସକରାତ୍ମକ ରାସାୟନିକ ପ୍ରକ୍ରିୟା ଦେଇଥିବା ଜଣାପଡ଼ିଛି।

ଏହାପରେ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରି ନଗଦ ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଅଧିକ ତଦନ୍ତ ପାଇଁ ତାଙ୍କୁ ଭବାନୀପାଟଣା ନିଆ ଯାଇଛି। ଏ ସମ୍ପର୍କରେ ଭିଜିଲାନ୍ସ ସେଲ୍ ପିଏସ କେସ୍ ନମ୍ବର ୬/୨୦୨୫, ୭ ପିସି ଆଇନ, ୧୯୮୮ ପିସି (ସଂଶୋଧନ) ଆଇନ, ୨୦୧୮ ଦ୍ୱାରା ପଞ୍ଜୀକୃତ ହୋଇଛି।