ଇତିହାସ ଲେଖିଲା ଭାରତ: ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଶୁଭାଂଶୁ

୨୮ ଘଣ୍ଟାର ଯାତ୍ରା ପରେ ସଫଳତାର ସହ ଡକିଂ

ନୂଆଦିଲ୍ଲୀ, ୨୬/୦୬: ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍‌ଏକ୍ସ ଡ୍ରାଗନ୍ ସ୍ପେସ୍କ୍ରାଫ୍ଟରେ ଉତକ୍ଷେପଣର ୨୮ ଘଣ୍ଟା ପରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଛନ୍ତି ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ମହାକାଶଚାରୀ। ଗୁରୁବାର ଦିନ ଆକ୍ସିଅମ୍-୪ର ସଫଳତାର ସହ ଡକିଂ ପ୍ରକ୍ରିୟା ଶେଷ ହୋଇଛି। ଅଢେଇ ଘଣ୍ଟାର ଡକିଂ ପ୍ରକ୍ରିୟା ଶେଷ ହେବା ପରେ ଆଇଏସଏସରେ ପହଞ୍ଚିଛନ୍ତି ମହାକାଶଚାରୀ।

ଆଇଏସଏସର ଡକିଂ ପୋର୍ଟର ହାରମୋନି ମଡ୍ୟୁଲ୍‌ରେ ସ୍ପେସ କ୍ୟାପସୁଲ ଯୋଡ଼ି ହେବା ପରେ ସଫଳ ଡକିଂ ହୋଇଥିଲା। ପ୍ରାୟ ୨୮.୫ ଘଣ୍ଟାର ଯାତ୍ରା ପରେ ୨୬ ଜୁନରେ ଭାରତୀୟ ସମୟ ପ୍ରାୟ ୪:୦୫ ସମୟରେ ମହାକାଶଯାନ ମହାକାଶ ଷ୍ଟେଶନ ସହିତ ସଂଯୋଗ ହୋଇଥିଲା। ଗତ କାଲି (୨୫ ଜୁନ)ରେ ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା ୧ରେ ଉତକ୍ଷେପଣ ହୋଇଥିଲା।

ମିଶନ ପାଇଲଟ୍ ଭାବରେ କାର୍ଯ୍ୟ କରୁଥିବା ଶୁଭାଂଶୁ ଶୁକ୍ଳାଙ୍କ ସହିତ ଆମେରିକାର ମିଶନ କମାଣ୍ଡର ପେଗି ହ୍ୱିଟସନ ଏବଂ ପୋଲାଣ୍ଡର ସାଓସ୍ ଉଜନାନ୍ସକି-ୱିସ୍ନିୱସ୍କି ଏବଂ ହଙ୍ଗେରୀର ଟିବୋର୍ କାପୁ ମଧ୍ୟ ଅଛନ୍ତି। ଆଇଏସଏସରେ ୧୪ ରହି ୩୧ଟି ଦେଶର ୬୦ରୁ ଅଧିକ ପରୀକ୍ଷଣ କରିବେ।

ଭାରତ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଆଇଏସଏସକୁ ଯିବାରେ ଭାରତର ପ୍ରଥମ ମହାକାଶଚାରୀ ହୋଇଛନ୍ତି ଶୁଭାଂଶୁ। ସେହିପରି ମହାକାଶକୁ ଯାତ୍ରା କରିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ୧୯୮୪ ମସିହାରେ ରାକେଶ ଶର୍ମା ମହାକାଶକୁ ଯାଇଥିଲେ।