ଭୁଶୁଡିଲା ୪୫ ବର୍ଷର ପୋଲ, ୯ ମୃତ

ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭଦୋଦରା, ୦୯/୦୭: ଗୁଜରାଟର ଭଦୋଦରାରୁ ଆନନ୍ଦକୁ ସଂଯୋଗ କରୁଥିବା ମହିସାଗର ନଦୀରେ ନିର୍ମିତ ହୋଇଥିବା ୪୫ ବର୍ଷର ଗମ୍ଭୀରା ବ୍ରିଜ ଭୁଶୁଡ଼ି ପଡ଼ିଛି। ହଠାତ୍ ପୋଲ ଭୁଶୁଡି ପଡ଼ିବାରୁ ଦୁଇଟି ଟ୍ରକ୍, ଦୁଇଟି ଭ୍ୟାନ ଓ ଗୋଟିଏ ଅଟୋ ନଦୀକୁ ଖସି ପଡ଼ିଥିଲା। ଏପର୍ଯ୍ୟନ୍ତ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ନଅ ଜଣଙ୍କୁ ଉଦ୍ଧାର କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଏହା ସହିତ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଏକ ଭିଡିଓରେ ଘଟଣାସ୍ଥଳରେ ଏକ ଟ୍ରକ୍ ବିପଦପୂର୍ଣ୍ଣ ଭାବରେ ଭଙ୍ଗା ପୋଲରେ ଝୁଲି ରହିଥିବାର ଦେଖାଯାଉଛି। ଟ୍ୟାଙ୍କର ଭିତରେ ଥିବା ଡ୍ରାଇଭର ସୁରକ୍ଷିତ ଭାବେ ବାହାରି ଥିଲେ ମଧ୍ୟ ଘଟଣା ପରଠାରୁ ଡ୍ରାଇଭର ଘଟଣାସ୍ଥଳରୁ ନିଖୋଜ ଅଛନ୍ତି। ଏହା ବ୍ୟତୀତ, ପୋଲ ଭୁଶୁଡ଼ିବା ପରେ ମହିସାଗର ନଦୀରେ ଖସିପଡ଼ିଥିବା ଏକ ଟ୍ରକକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।