ଆଫ୍ରିକୀୟ ଚିତାଙ୍କୁ ଭଲ ଲାଗିଲା ଭାରତ

ଶ୍ୟୋପୁର ୧୮।୯: ମଧ୍ୟପ୍ରଦେଶ ଶ୍ୟୋପୁର ଜିଲ୍ଲାର ରାଷ୍ଟ୍ରୀୟ କୁନୋ ପାଲପୁର ଅଭୟାରଣ୍ୟରେ ଆଫ୍ରିକା ନାମିବ୍ୟାରୁ ଆସିଥିବା ୮ ଚିତାବାଘଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। ସେମାନେ ଏବେ ପୁରା ସ୍ୱଭାବିକ ଅଛନ୍ତି। କୁନୋ ଉଦ୍ୟାନରେ ଚିତାଙ୍କୁ ଖାଦ୍ୟରେ ମଇଁଷି ମାଂସ ଦିଆଯାଉଛି। ତେବେ ସେମାନେ ଅବସ୍ଥାନ କରୁଥିବା ଏନକ୍ଲୋଜରରେ ଏବେ ସେମାନଙ୍କ ଶିକାର ଲାଗି ହରିଣ ଅଥବା ଅନ୍ୟ ବଣ୍ୟ ଜୀବଙ୍କୁ ଛଡା ଯିବ ନାହିଁ।

ବାଘଗୁଡିକ ଏଠିକାର ପ୍ରାକୃତିକ ପରିବେଶ ସହ ଖାପ ଖୁଆଇଗଲେ ସେମାନଙ୍କୁ ପ୍ରକୃତିରେ ଛାଡି ଦିଆଯିବ। ଡିଏଫଓ ପ୍ରକାଶ ବର୍ମାଙ୍କ ଅନୁସାରେ ସବୁ ୮ଟି ଜାକ ଚିତା ସୁସ୍ଥ ଅଛନ୍ତି। ଏଠାକାର ବାତାବରଣ ସହ ଖାପ ଖୁଆଇବାକୁ ସେମାନଙ୍କୁ କିଛି ସମୟ ଲାଗିବ। ଏବେ ସେମାନଙ୍କୁ ଛୋଟ ଛୋଟ ବାଡାରେ କ୍ୱାରେଣ୍ଟାଇନ କରାଯାଇଛି। ସେମାନଙ୍କୁ ଏବେ ଖାଦ୍ୟରେ କେବଳ ମଇଁଷି ମାଂସ ଦିଆଯିବ। କିଛି ଦିନ ପରେ କୁନୋ ପରିବେଶ ସହ ଏମାନେ ଖାପଖୁଆଇଗଲେ ସେମାନଙ୍କୁ ବଡ ବାଡାରେ ଛଡାଯିବ।