ଦୀପାବଳି ସୁଦ୍ଧା ୭ ଟଙ୍କା ଶସ୍ତା ହୋଇପାରେ ପେଟ୍ରୋଲ ଏବଂ ଡିଜେଲ

ନୂଆଦିଲ୍ଲୀ: ଦୀର୍ଘ ଦିନରୁ ସ୍ଥିର ଥିବା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ନିକଟ ଭବିଷ୍ୟତରେ ହ୍ରାସ ଦେଖିବାକୁ ମିଳିପାରେ । ଏହାସହ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦୀପାବଳି ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୭ ଟଙ୍କା ଯାଏଁ ଶସ୍ତା ହୋଇପାରେ । ବର୍ତ୍ତମାନ ସମୟରେ ଆନ୍ତର୍ଜାତୀକ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୯୦ ଡଲାର ରହିଛି । ଏହାପରେ ବ୍ୟାରେଲ ପିଛା ମୂଲ୍ୟ ୮୭ ଡଲାରକୁ ଖସିପାରେ ବୋଲି ଅନୁମାନ କରାଯାଉଛି । ଏହି କାରଣରୁ ବିଶେଷଜ୍ଞ କହିଛନ୍ତି, ଦୀପାବଳି ସୁଦ୍ଧା ଖାଉଟିଙ୍କୁ ଆଶ୍ୱସ୍ତି ଦେଇ କମ୍ପାନି ଗୁଡିକ ତୈଳର ମୂଲ୍ୟରେ ହ୍ରାସ କରିପାରନ୍ତି ।

ସୋମବାର ସଂଧ୍ୟାରେ ଅନ୍ତର୍ଜାତୀୟ ବାଜରରେ ଅଶୋଧିତ ତୈଳର ମୂଲ୍ୟରେ ଦୁଇ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା। ପରିସଂଖ୍ୟାନ ଅନୁସାରେ, ବ୍ରେଣ୍ଟ କ୍ରୁଡ ଅଏଲରେ ମୂଲ୍ୟ ୨.୪୪ ପ୍ରତିଶତ ହ୍ରାସ ସହ ୮୯.୧୨ ଡଲାର ପ୍ରତି ବ୍ୟାରେଲ ବ୍ୟବସାୟ କରୁଥିଲା । ଅନ୍ୟପଟେ ଆମେରିକୀୟ କ୍ରୁଡ ଅଏଲ ମୂଲ୍ୟ ଡବ୍ଲୁଟିଆଇ ୨.୮୭ ପ୍ରତିଶତ ହ୍ରାସ ସହ ବ୍ୟାରେଲ ପିଛା ୮୨.୭୪ ଡଲାରରେ କାରବାର କରିଥିଲା । ତେବେ ବିଶେଷଜ୍ଞଙ୍କ ଅନୁମାନ ଏହା ଆହୁରି କମିପାରେ ।