ମହିଳା ଓ ଶିଶୁ ବିରୋଧୀ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ମିଳିବନି ଆଗୁଆ ଜାମିନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମହିଳା ବିରୋଧୀ ଅତ୍ୟାଚାର ବଢ଼ି ଚାଲିଥିବାରୁ କଡ଼ା ନିୟମ ଆଣିବାକୁ ଯାଉଛନ୍ତି ଯୋଗୀ ସରକାର। ମହିଳା ଓ ଶିଶୁ ବିରୋଧୀ ଅପରାଧ ପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣାଇ ୟୁପି ବିଧାନସଭାରେ ଏକ ବିଲ୍ ପାରିତ ହୋଇଛି। ଏଭଳି ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତି ଆଗୁଆ ଜାମିନ ଆବେଦନ କରିପାରିବେ ନାହିଁ। ଏଥିରେ ପ୍ରତିବନ୍ଧକ ଲଗାଇବା ପାଇଁ କୋଡ୍‌ ଅଫ୍ କ୍ରିମିନାଲ୍‌ ପ୍ରସିଡ୍ୟୁର(ଆମେଣ୍ଡମେଣ୍ଟ) ବିଲ୍ ୨୦୨୨ ଗୃହରେ ପାରିତ ହୋଇଛି।

ମହିଳାଙ୍କ ବିରୋଧରେ ଅତିଘୃଣ୍ୟ ଅପରାଧ ଘଟାଉଥିବା ଅପରାଧିକୁ ମିଳୁଥିବା ଆଗୁଆ ଜାମିନ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ଗୃହରେ ଏହି ବିଲ୍ ଆଗତ ହୋଇଥିଲା। ସିଆର୍‌ପିସିରେ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଆଗତ ହୋଇଛି। ମିଳିଥିବା ସୂଚନା ଅନୁସାରେ. ରାଜ୍ୟରେ ମହିଳା ସୁରକ୍ଷା ନେଇ ଆଲୋଚନା ବେଳେ ଗୁରୁବାର ଏହି ବିଲ୍ ପାରିତ ହୋଇଥିଲା।