ବ୍ରିଟେନ ଇତିହାସର ସବୁଠୁ ବଡ଼ ଆନ୍ଦୋଳନ: ଲଣ୍ଡନରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ
ତେଜିଲା ପ୍ରବାସୀ ବିରୋଧୀ ଆନ୍ଦୋଳନ
ଟମି ରବିନଶନଙ୍କ ନେତୃତ୍ୱରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷାଧିକ ଲୋକ
ଲଣ୍ଡନ, ୧୪/୯: ବ୍ରିଟେନ ଇତିହାସର ସବୁଠୁ ବଡ଼ ଆନ୍ଦୋଳନ ତେଜିଛି। ବ୍ରିଟେନର ରାଜଧାନୀ ଲଣ୍ଡନରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏଥିରେ ଯୋଗ ଦେଇଛନ୍ତି ଏକ ଲକ୍ଷରୁ ଅଧିକ ଲୋକ। ପ୍ରବାସୀ ବିରୋଧୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଛନ୍ତି ଲକ୍ଷାଧିକ ଲୋକ।
“ୟୁନାଇଟ୍ ଦି କିଙ୍ଗଡମ୍” ନାମକ ଏହି ପ୍ରଦର୍ଶନ ପ୍ରବାସୀ ବିରୋଧୀ ଏବଂ ଇସଲାମ ବିରୋଧୀ ଦକ୍ଷିଣପନ୍ଥୀ କର୍ମୀ ଟମି ରବିନସନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ପୋଲିସର ସୂଚନା ଅନୁସାରେ, ପ୍ରାୟ ୧,୧୦,୦୦୦ ଲୋକ ପ୍ରବାସୀ ବିରୋଧୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଛନ୍ତି।
ଲଣ୍ଡନ ପୋଲିସ କହିଛି ଯେ ପ୍ରବାସୀ ବିରୋଧୀ ପ୍ରଦର୍ଶନ ସମୟରେ ପୋଲିସ ଅଧିକାରୀମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଅନେକ ପୋଲିସ ଆହତ ହୋଇଥିଲେ। ଏହି ସଂଘର୍ଷରେ ୨୬ ଜଣ ପୋଲିସ ଆହତ ହୋଇଛନ୍ତି ଏବଂ ୨୫ ଜଣଙ୍କୁ ଗିରଫ କରାଯାଇଛି।
ଲଣ୍ଡନ ପୋଲିସର ସହକାରୀ କମିଶନର ମ୍ୟାଟ୍ ଟ୍ୱିଷ୍ଟ ଏକ ବିବୃତ୍ତିରେ ଆକ୍ରମଣକୁ ନିନ୍ଦା କରି ଏଭଳି ଆନ୍ଦୋଳନ ସ୍ୱୀକାର ଯୋଗ୍ୟ ନୁହେଁ ବୋଲି କହିଛନ୍ତି। ଟ୍ୱିଷ୍ଟ କହିଛନ୍ତି, “ଘଟଣା ପରେ ଆମର ତଦନ୍ତ ଆରମ୍ଭ ହୋଇଛି। ଆମେ ଏହି ବିଶୃଙ୍ଖଳାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରୁଛୁ ଏବଂ ଆଗାମୀ ଦିନରେ ସେମାନଙ୍କ ବିରୁଦ୍ଧରେ କଠୋର ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଯୁକ୍ତରାଜ୍ୟ ଏବଂ ଇଂଲଣ୍ଡର ପତାକା ଧରି ପ୍ରଦର୍ଶନକାରୀମାନେ ହ୍ୱାଇଟହଲ୍ ଅଭିମୁଖେ ଶୋଭାଯାତ୍ରା କରିଥିଲେ, ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସରକାରୀ ବିଭାଗ ଅବସ୍ଥିତ। କିଛି ପ୍ରଦର୍ଶନକାରୀ ଆମେରିକୀୟ ଏବଂ ଇସ୍ରାଏଲୀ ପତାକା ମଧ୍ୟ ଧରିଥିଲେ।
ପ୍ରଦର୍ଶନକାରୀମାନେ କାଇର ଷ୍ଟାରମରଙ୍କୁ ସମାଲୋଚନା କରିବା ସହିତ ପ୍ରବାସୀମାନଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଉଥିଲେ। ‘ସେମାନଙ୍କୁ ଘରକୁ ପଠାନ୍ତୁ’ ଭଳି ବାର୍ତ୍ତା ଥିବା ପ୍ଲାକାର୍ଡ ମଧ୍ୟ ଧରିଥିଲେ। କିଛି ପ୍ରତିବାଦକାରୀ ସେମାନଙ୍କର ପିଲାମାନଙ୍କୁ ମଧ୍ୟ ଆଣିଥିଲେ। ଟମି ରବିନସନ୍ ‘ୟୁନାଇଟ୍ ଦି କିଙ୍ଗଡମ୍’ ଆନ୍ଦୋଳନକୁ ଅଭିବ୍ୟକ୍ତିର ସ୍ୱାଧୀନତାର ଏକ ଉତ୍ସବ ଭାବରେ ବର୍ଣ୍ଣନା କରିଛନ୍ତି। ରବିନସନ୍ କହିଛନ୍ତି ଯେ ଖ୍ରୀଷ୍ଟମାସରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କ ସ୍ୱାଧୀନତା ପାଇଁ ଏକତ୍ରିତ ହେବା ପାଇଁ ଲଣ୍ଡନ ରାସ୍ତାକୁ ଓହ୍ଲାଇଛନ୍ତି।
ତେବେ ଏହି ପ୍ରବାସୀ ବିରୋଧୀ ଆନ୍ଦୋଳନକୁ ବିରୋଧ କରିଛନ୍ତି କିଛି ଲୋକ। ‘ଷ୍ଟାଣ୍ଡ ଅପ୍ ଟୁ ରେସିଜିମ୍’ ବ୍ୟାନରରେ ଏହି ବିକ୍ଷୋଭ ପ୍ରଦର୍ଶନରେ ୫୦୦୦ ଲୋକ ସାମିଲ ହୋଇଛନ୍ତି।
ଟମି ରବିନସନ୍ କିଏ?
ରବିନସନ୍ଙ୍କ ପ୍ରକୃତ ନାମ ଷ୍ଟିଫେନ୍ ୟାକ୍ସଲି-ଲେନ୍। ସେ ନିଜକୁ ଜଣେ ସାମ୍ବାଦିକ ଭାବରେ ନିଜକୁ ଦର୍ଶାନ୍ତି। ରବିନସନ୍ ଏକ ପ୍ରବାସୀ ବିରୋଧୀ ସଂଗଠନ ଇଂଲିଶ ଡିଫେନ୍ସ ଲିଗ୍ର ପ୍ରତିଷ୍ଠା କରି ଥିଲେ। ସେ ଚଳିତ ବର୍ଷ ପ୍ରାରମ୍ଭରେ ଜେଲ୍ରୁ ମୁକ୍ତ ହୋଇଥିଲେ। ଜଣେ ସିରିଆନ୍ ଶରଣାର୍ଥୀଙ୍କ ବିଷୟରେ ମିଥ୍ୟା ଅଭିଯୋଗ କରି ତାଙ୍କୁ କୋର୍ଟ ଅବମାନନା ପାଇଁ ଜେଲ୍ ପଠାଇଥିଲେ।