କାଠମାଣ୍ଡୁ, ୧୪/୯: ନେପାଳରେ ଦୁର୍ନୀତି ବିରୋଧରେ କେହି ଓଲି ଶର୍ମାଙ୍କୁ ଟାର୍ଗେଟ କରି ଜେନ୍-ଜି ମାନେ ଆନ୍ଦୋଳନ କରିଥିଲେ। ଏଥିରେ ଓଲି ସରକାର ଭୁଶୁଡ଼ି ଥିଲା ସତ, କିନ୍ତୁ ୫୦ରୁ ଉର୍ଦ୍ଧ୍ବ ଜେନ-ଜିଙ୍କ ମୃତ୍ୟୁ ହୋଇଥିଲା।
ବର୍ତ୍ତମାନ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସୁଶୀଳା କାର୍କି ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଜେନ-ଜିଙ୍କୁ ସହିଦ୍ ଘୋଷଣା କରାଯିବ ବୋଲି କହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ଦେଶ ଉଦ୍ଦେଶ୍ୟରେ ତାଙ୍କ ପ୍ରଥମ ଅଭିଭାଷଣ ରଖିଛନ୍ତି।
ଅଭିଭାଷଣରେ ସୁଶୀଳା କହିଛନ୍ତି, ତାଙ୍କ ଦଳ କ୍ଷମତାକୁ ଧରି ରହିବା ପାଇଁ ନୁହେଁ, ବରଂ ଲୋକଙ୍କ ସେବା ପାଇଁ ଦାୟିତ୍ୱ ଗ୍ରହଣ କରିଛି। ଛଅ ମାସରୁ ଅଧିକ ସମୟ ପାଇଁ କ୍ଷମତାରେ ରହିବେ ନାହିଁ ଏବଂ ନବନିର୍ବାଚିତ ସଂସଦକୁ କ୍ଷମତା ହସ୍ତାନ୍ତର କରିବେ।
ନେପାଳକୁ ପୁନଃନିର୍ମାଣ କରିବା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡିବ। ଆମେ ହାର ମାନିବୁ ନାହିଁ। ଆମେ ଆମର ରାଷ୍ଟ୍ରକୁ ପୁନରୁଦ୍ଧାର କରିବା ପାଇଁ କାମ କରିବୁ।
ସେ ଘୋଷଣା କରିଛନ୍ତି, “ପରିବାର, ବିଶେଷକରି ଯେଉଁମାନେ ସ୍କୁଲ ଏବଂ କଲେଜ ପଢ଼ୁଥିବା ପିଲାମାନଙ୍କୁ ହରାଇଛନ୍ତି, ସେମାନଙ୍କ ପାଇଁ ମୁଁ ଗଭୀର ଦୁଃଖିତ। ସରକାର ବିରୋଧୀ ଆନ୍ଦୋଳନରେ ପ୍ରାଣ ହରାଇଥିବା ଲୋକଙ୍କୁ ଆନୁଷ୍ଠାନିକ ଭାବରେ ସହିଦ ଭାବରେ ମାନ୍ୟତା ଦିଆଯିବ। ସହିଦଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଏବଂ ଆହତମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ।”
ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ରେ, କାଠମାଣ୍ଡୁରେ ଜେନ୍-ଜିଙ୍କ ନେତୃତ୍ୱରେ ବିଶାଳ ସରକାର ବିରୋଧୀ ପ୍ରତିବାଦ ଆରମ୍ଭ ହୋଇଥିଲା। ସୋସିଆଲ ମିଡିଆ ଉପରେ ବ୍ୟାନର ହଟାଇବାକୁ ଦାବି ସହ ଦୁର୍ନୀତି ବିରୋଧରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏଥିରେ ଅତି କମରେ ୫୧ ଜଣଙ୍କ ମୃତ୍ୟୁ ହେବା ସହ ୧୩୦୦ ଜଣ ଆହତ ହୋଇଥିଲେ।