RBI ର ଡେପୁଟି ଗଭର୍ଣ୍ଣର ହେଲେ ଶିରୀଶ ଚନ୍ଦ୍ର ମୁର୍ମୁ

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ, ୨୯/୯: କେନ୍ଦ୍ର ସରକାର ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ କରିଛନ୍ତି। ୯ ଅକ୍ଟୋବର ୨୦୨୫ ଠାରୁ ଦାୟିତ୍ୱ ଗ୍ରହଣ କରିବେ ଶିରୀଶ ମୁର୍ମୁ। ତାଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତ କରିଛନ୍ତି କେନ୍ଦ୍ର ସୂ।

ବର୍ତ୍ତମାନ RBIର ସଚିବ ବିଭାଗରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ଶିରୀଶ ମୁର୍ମୁ ଏମ. ରାଜେଶ୍ୱର ରାଓଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଏମ. ରାଜେଶ୍ୱର ରାଓଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଅକ୍ଟୋବର ୮ ରେ ଶେଷ ହେଉଛି।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ, ଶିରୀଶ ମୁର୍ମୁ ଆନ୍ତଃ-ବିଭାଗୀୟ ସମନ୍ୱୟ, ନିୟାମକ ଅନୁପାଳନ ଏବଂ ସରକାରୀ ବିଷୟ ପ୍ରମୁଖ ପରିଚାଳନା କରନ୍ତି। ଉଲ୍ଲେଖନୀୟ ଯେ, ସେ ଭାରତର ପୂର୍ବତନ ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଭାଇ। ଆର୍ଥିକ କ୍ଷେତ୍ର ନିୟାମକ ନିଯୁକ୍ତି ସର୍ଚ୍ଚ କମିଟି (FSRASC) ଦ୍ୱାରା ଡେପୁଟି ଗଭର୍ଣ୍ଣର ପାଇଁ ଶିରୀଶଙ୍କ ନାଁ ସୁପାରିଶ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇ କହିଛନ୍ତି, “ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶ୍ରୀ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଜଣେ ସୁଯୋଗ୍ୟ ଓଡ଼ିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। RBI ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ଆଗାମୀ କାର୍ଯ୍ୟକାଳ ଓ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଉଛି ଏବଂ ସଫଳତା କାମନା କରୁଛି।”