କିଭ୍, ୨୯/୯: ରୁଷ ୧୨ ଘଣ୍ଟା ଧରି ୟୁକ୍ରେନ ଉପରେ ଘନଘନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ୟୁକ୍ରେନର ରାଜଧାନୀ କିଭ୍ ଉପରେ ହୋଇଥିବା ଏହି ଆକ୍ରମଣରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଗତ ମାସରେ ୟୁକ୍ରେନର ରାଜଧାନୀରେ ହୋଇଥିବା ବିମାନ ଆକ୍ରମଣରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହେବା ପରେ ଏହା ପ୍ରଥମ ବଡ଼ ଆକ୍ରମଣ ଥିଲା।
ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ ଆମେରିକା ୟୁକ୍ରେନକୁ ଟୋମାହକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଦେବା ପାଇଁ ବିଚାର କରୁଛି।
କିଭ୍ ସହର ପ୍ରଶାସନର ମୁଖ୍ୟ ଟାଇମୁର ତକାଚେଙ୍କୋ ରବିବାର ମୃତାହତଙ୍କ ବିଷୟରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ସହରର ବାସସ୍ଥାନ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ ୭୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଏକ ୧୨ ବର୍ଷୀୟା ଝିଅ ମଧ୍ୟ ଅଛି।
ୟୁକ୍ରେନର ବାୟୁସେନା ରବିବାର କହିଛି ଯେ ରୁଷ ମୋଟ ୫୯୫ଟି ଡ୍ରୋନ୍ ଏବଂ ୪୮ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ସେଥିମଧ୍ୟରୁ, ବାୟୁ ପ୍ରତିରକ୍ଷା ୫୬୬ଟି ଡ୍ରୋନ୍ ଏବଂ ୪୫ଟି କ୍ଷେପଣାସ୍ତ୍ରକୁ ଖସାଇ ଦେଇଛି ୟୁକ୍ରେନ।
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକି କହିଛନ୍ତି ଯେ କିଭ୍ ବ୍ୟତୀତ ଜାପୋରିଝିଆ, ଖମେଲନିତ୍ସ୍କାଇ, ସୁମି, ମାଇକୋଲାଇଭ୍, ଚେର୍ନିହିଭ୍ ଏବଂ ଓଡେସା ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ଜେଲେନ୍ସକି X ରେ ଲେଖିଛନ୍ତି ଯେ ସାରା ଦେଶରେ ଅତି କମରେ ୪୦ ଜଣ ଆହତ ହୋଇଛନ୍ତି। ପରେ, ୟୁକ୍ରେନର ଗୃହ ମନ୍ତ୍ରଣାଳୟ କହିଛି ଯେ ଆହତଙ୍କ ସଂଖ୍ୟା ୭୦ ରେ ପହଞ୍ଚିଛି।