ଭୁଶୁଡ଼ିଲା ସ୍କୁଲ ଛାତ, ପୋତି ହୋଇ ରହିଛନ୍ତି ୬୫ ଛାତ୍ର

୯୯ ଜଣଙ୍କୁ ଉଦ୍ଧାର, ଜଣଙ୍କର ମୃତ୍ୟୁ

ଜାଭା, ୩୦/୯: ଇଣ୍ଡୋନେସିଆରେ ଏକ ସ୍କୁଲ କୋଠା ଭୁଶୁଡ଼ି ପଡ଼ିବାରୁ ଭଗ୍ନାବଶେଷ ତଳେ ଅନେକ ଛାତ୍ର ପୋତି ହୋଇ ରହିଛନ୍ତି। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଉର୍ଦ୍ଧ୍ବ ଛାତ୍ର ଗୁରୁତର ହୋଇଛନ୍ତି। ଏବେ ଯାଏଁ ବି ୬୫ ଜଣ ଭଗ୍ନାବଶେଷ ତଳେ ପୋତି ହୋଇ ରହିଛନ୍ତି।

ଗତ ସୋମବାର ଇଣ୍ଡୋନେସିଆର ପୂର୍ବ ଜାଭାର ସିଡୋଆର୍ଜୋରେ ଥିବା ଅଲ୍ ଖୋଜିନି ଇସଲାମିକ୍ ବୋର୍ଡିଂ ସ୍କୁଲର କୋଠା ଭୁଶୁଡ଼ି ଯାଇଥିଲା। ଏହି ଅଘଟଣ ସମୟରେ ଛାତ୍ରମାନେ ପ୍ରାର୍ଥନା କରୁଥିଲେ। ଏହା ପରେ ଉଦ୍ଧାରକାରୀ ଦଳ, ପୋଲିସ ଏବଂ ସେନା ଯବାନମାନେ ରାତିସାରା ଭଗ୍ନାବଶେଷ ଆଠ ଜଣ ଗୁରୁତର ଛାତ୍ରଙ୍କୁ ଖୋଜି ବାହାର କରିଥିଲେ। ୧୨ ଘଣ୍ଟାରୁ ଅଧିକ ସମୟ ଧରି ଏବେ ବି ୬୫ ଛାତ୍ର ଫସି ରହିଥିବା ସୂଚନା ମିଳିଛି।

ସ୍କୁଲ କମ୍ପ୍ଲେକ୍ସର ଏକ କମାଣ୍ଡ ପୋଷ୍ଟରେ ଥିବା ଏକ ନୋଟିସ ବୋର୍ଡରେ ୬୫ ଜଣ ଛାତ୍ର ନିଖୋଜ ଥିବା ତାଲିକା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ୧୨ରୁ ୧୭ ବର୍ଷ ବୟସର ପୁଅ। ସ୍କୁଲ କୋଠାରେ ନିର୍ମାଣାଧୀନ ଛାତ ତଳେ ପ୍ରାର୍ଥନା କରୁଥିଲେ ଛାତ୍ର। ୯୯ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୧୨ରୁ ଅଧିକ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି।

ପ୍ରଦେଶ ପୋଲିସ ମୁଖପାତ୍ର ଜୁଲେସ୍ ଆବ୍ରାହମ୍ ଆବାଷ୍ଟ ଏହାକୁ ନିଶ୍ଚିତ କରି କହିଛନ୍ତି ଯେ ଅନୁମତି ବିନା ଦୁଇଟି ଅତିରିକ୍ତ ମହଲା ଯୋଡାଯାଉଥିଲା। “ପୁରୁଣା କୋଠାର ମୂଳଦୁଆ ଦୁର୍ବଳ ଥିବା ବେଳେ ପୁଣି ତା ଉପରେ ଆହୁରି ନିର୍ମାଣ ହେବାରୁ କୋଠାଟି ଭୁଶୁଡ଼ି ପଡ଼ିଥିଲା,” ଆବାଷ୍ଟ କହିଛନ୍ତି।

କଂକ୍ରିଟର ଓଜନିଆ ସ୍ଲାବ୍ ଏବଂ କୋଠାର ଭଗ୍ନାବଶେଷ ତଳେ ଫସି ରହିଥିବା ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀଙ୍କ ପାଇଁ କଷ୍ଟକର ହେଉଛି। ତେବେ ଭଗ୍ନାବଶେଷ ତଳେ ଥିବା ଛାତ୍ରଙ୍କୁ ପାଣି ଓ ଅକ୍ସିଜେନ ଯୋଗାଇ ଦିଆଯାଉଛି।

ମିଳିଥିବା ସୂଚନା ମୁତାବକ, ସେହି ସ୍କୁଲର ଛାତ୍ରୀମାନେ ଅନ୍ୟତ୍ର ପ୍ରାର୍ଥନା କରୁଥିବା ବେଳେ କୋଠା ଭୁଶୁଡ଼ି ପଡିବା ସହରରେ ନିଜକୁ ବଞ୍ଚାଇ ପାରିଥିଲେ।