ପୋଲିସ ଏସଆଇ ଚାକିରି ଜାଲିଆତି ରାକେଟର ପର୍ଦ୍ଦାଫାଶ, କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ଲିଖିତ ପରୀକ୍ଷା ସ୍ଥଗିତ କଲା ଓପିଆରବି, ହେଲ୍ପଲାଇନ ନମ୍ୱର ଜାରି

ଭୁବନେଶ୍ଵର, ୩୦/୯: ପୋଲିସ ଏସଆଇ ଚାକିରିକୁ ନେଇ ଚାଲିଥିଲା ଜାଲିଆତି ରାକେଟ। ଏହି ରାକେଟ ଚଳାଉଥିଲା ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା। ପୋଲିସ ସବ-ଇନ୍ସପେକ୍ଟର ଚାକିରିରେ ଜାଲିଆତି ପାଇଁ ବଡ଼ ଡିଲ୍ ହୋଇଥିବା ଜଣା ପଡ଼ିବା ପରେ ତଦନ୍ତ ଆରମ୍ଭ କରିଥିଲା ବ୍ରହ୍ମପୁର ପୋଲିସ। ଆଉ ପିଛା କରି ହାଇଦ୍ରାବାଦ ଯାଉଥିବା ଏକ‌ ଗୋଷ୍ଠୀକୁ ଧରିଥିଲା।

ମିଳିଥିବା ସୂଚନା ମୁତାବକ, ପୋଲିସ ଏସଆଇ ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ଆଶାୟୀଙ୍କୁ କୋଚିଂ ଦେବା ପାଇଁ ହାଇଦ୍ରାବାଦ ନେଉଥିଲା। ଏଥିରେ ପ୍ରାୟ ୧୫୦ରୁ ଅଧିକ ଆଶାୟୀ ଥିଲେ। ହେଲେ ସେମାନଙ୍କୁ ପିଛା କରି ଶ୍ରୀକାକୁଲମରେ‌ ଧରିଥିଲା ବ୍ରହ୍ମପୁର ପୋଲିସ। ପରୀକ୍ଷାର୍ଥୀଙ୍କୁ ଅଟକ ରଖିଛି ବ୍ରହ୍ମପୁର ପୋଲିସ। ବ୍ରହ୍ମପୁର ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଛାନଭିନ ଚାଲିଛି।

ଚାକିରି ରାକେଟର ପର୍ଦ୍ଦାଫାସ୍ ପରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଆଶାୟୀ ମାନଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ହେଲ୍ପ ଲାଇନ ନମ୍ବର ହେଲା ୯୦୪୦୪୯୩୨୨୩। ଯେଉଁମାନଙ୍କର ଯାହା ଅଭିଯୋଗ ରହିଛି ସେମାନେ ଏହି ନମ୍ବରରେ ଅଭିଯୋଗ କରିପାରିବେ।

ଅନ୍ୟପଟେ ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପୋଲିସ ଏସଆଇ ଲିଖିତ ପରୀକ୍ଷା ସ୍ଥଗିତ ରଖିଛି ଓପିଆରବି। ଆଗକୁ ପରୀକ୍ଷା କେବେ ହେବ, ସେ ନେଇ ନୂଆ ତାରିଖ ଘୋଷଣା କରାଯିବ ବୋଲି ଓପିଆରବି ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।