ଭାରତ ବିଶ୍ଵର ଚତୁର୍ଥ ବୃହତ ଅର୍ଥନୀତି

ପଛରେ ପଡ଼ିଲା ଜାପାନ

ନୂଆଦିଲ୍ଲୀ, ୩୧/୧୨: ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହୋଇସାରିଛି। ସରକାରୀ ତଥ୍ୟ ଅନୁଯାୟୀ, ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହାସଲ କରି ଜାପାନକୁ ପଛରେ ପକାଇ ଦେଇଛି। ଆଶା କରାଯାଉଛି ଯେ, ଭାରତ ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତ ଅର୍ଥନୀତି ହେବ।

୨୦୩୦ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥନୀତି ହେବାର ଆଶା କରାଯାଉଛି

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତ ଏବେ ୪.୧୮ ଟ୍ରିଲିୟନ ଡଲାରର GDP ସହିତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଏହି ସଫଳତା ସହିତ, ଭାରତ ଏବେ ଜର୍ମାନୀକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି, ଯାହା ୨୦୩୦ ସୁଦ୍ଧା ଲକ୍ଷ୍ୟ ପୂରଣ ହେବା ନେଇ ଆଶା କରାଯାଉଛି। ବର୍ତ୍ତମାନ, ଯୁକ୍ତରାଷ୍ଟ୍ର ବିଶ୍ୱର ସର୍ବବୃହତ ଅର୍ଥନୀତି ଏବଂ ଚୀନ୍ ଦ୍ୱିତୀୟ ବୃହତ୍ତମ।

୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଭାରତର ପ୍ରକୃତ GDP ଅଭିବୃଦ୍ଧି ୮.୨ ପ୍ରତିଶତ ଥିଲା, ଯାହା ପୂର୍ବ ତ୍ରୈମାସିକ ତୁଳନାରେ ଯଥେଷ୍ଟ ଉନ୍ନତି ଆଣିଛି। ପ୍ରଥମ ତ୍ରୈମାସିକରେ ଅଭିବୃଦ୍ଧି ୭.୮ ପ୍ରତିଶତ ଏବଂ ପୂର୍ବ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ୭.୪ ପ୍ରତିଶତ ଥିଲା। ଏହି ଅଭିବୃଦ୍ଧି ଦର୍ଶାଉଛି ଯେ ବିଶ୍ୱ ଅସ୍ଥିରତା ସତ୍ତ୍ୱେ, ଭାରତୀୟ ଅର୍ଥନୀତି କେବଳ ସ୍ଥିର ନୁହେଁ ବରଂ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ରହିଛି।

ଭାରତୀୟ ଅର୍ଥନୀତିର ଏହି ଅଭିବୃଦ୍ଧିରେ ବ୍ୟକ୍ତିଗତ ବ୍ୟବହାର ଏବଂ ପ୍ରବଳ ଘରୋଇ ଚାହିଦାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସରକାର କହିଛନ୍ତି ଯେ ବେକାରୀ ହାର ହ୍ରାସ ପାଉଛି ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ବିଶ୍ୱ ବ୍ୟାଙ୍କ, ଆଇଏମଏଫ ଏବଂ ମୁଡି ଭଳି ଅନ୍ତର୍ଜାତୀୟ ପ୍ରତିଷ୍ଠାନ ମଧ୍ୟ ଭାରତୀୟ ଅର୍ଥନୀତି ପାଇଁ ସକାରାତ୍ମକ ପୂର୍ବାନୁମାନ ପ୍ରକାଶ କରିଛନ୍ତି। ଏସୀୟ ବିକାଶ ବ୍ୟାଙ୍କ ୨୦୨୫ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନ ୭.୨ ପ୍ରତିଶତକୁ ବୃଦ୍ଧି କରିଛି।

ଭାରତ ୨୦୪୭ ମସିହା ସୁଦ୍ଧା, ଅର୍ଥାତ୍ ସ୍ୱାଧୀନତାର ଶତବାର୍ଷିକୀ ସୁଦ୍ଧା ବିକଶିତ ରାଷ୍ଟ୍ରମାନଙ୍କ ମଧ୍ୟରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଭାରତ ଆଗାମୀ ଅଢ଼େଇ ରୁ ତିନି ବର୍ଷ ମଧ୍ୟରେ ୭.୩ ଟ୍ରିଲିୟନ ଡଲାର GDP ସହିତ ବିଶ୍ୱର ତୃତୀୟ ବୃହତ ଶକ୍ତି ହୋଇପାରିବ।