ନୂଆଦିଲ୍ଲୀ, ୦୭/୦୧: ଗତକାଲି ରାତିରେ ରାଜଧାନୀ ଦିଲ୍ଲୀରେ ତୁର୍କମାନ ଗେଟ୍ ଅଞ୍ଚଳରେ ଥିବା ଫୈଜ-ଏ-ଇଲାହି ମସଜିଦ ନିକଟରେ ବେଆଇନ ନିର୍ମାଣ ଭାଙ୍ଗିବା ସମୟରେ ଦେଖା ଦେଇଥିଲା ଅପ୍ରୀତିକର ପରିସ୍ଥିତି। କିଛି ଧର୍ମାନ୍ଧମାନେ ପୋଲିସ ଉପରକୁ ପଥର ଫିଙ୍ଗିବା ସହ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ପୋଲିସ ଉପରକୁ ପଥର ଫିଙ୍ଗିବା ଫଳରେ ଏକାଧିକ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖା ଦେଇଛି ଯେ, ଦଙ୍ଗାକାରୀମାନେ ପ୍ରଥମେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ଏବଂ ପରେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଏହି ଘଟଣାର ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରଦର୍ଶନକାରୀଙ୍କ ଏକ ଭିଡ଼ ରାସ୍ତାରେ ଏକାଠି ଆଗକୁ ବଢ଼ି ପଥର ଫିଙ୍ଗୁଥିବା ଦେଖାଯାଉଛି।
ପୋଲିସ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରିଛି ଏବଂ ଦଙ୍ଗା ଅଭିଯୋଗ ମଧ୍ୟ କରିଛି। ଏହି ମାମଲାରେ ପାଞ୍ଚରୁ ଛଅ ଜଣଙ୍କୁ ଅଟକ ରଖାଯାଇଛି। ପୋଲିସ ଡ୍ରୋନ ସିସିଟିଭି କ୍ୟାମେରା ଏବଂ ମୋବାଇଲ ଭିଡିଓ ପାଇଛି।
ଭିଡ଼କୁ ଡାକିବା ପାଇଁ କିଛି ମେସେଜ ପ୍ରସାରିତ ହୋଇଥିଲା। ଗୁଜବ ପ୍ରଚାର ହୋଇଥିଲା ଯେ ମସଜିଦ ଭାଙ୍ଗି ଦିଆଯିବ। ଲୋକମାନେ ଗୁଜବ ପ୍ରଚାର କରିଥିଲେ। ଯାହା ପରେ ଗୁଜବକୁ ବିଶ୍ୱାସ କରି ଏଭଳି ଦଙ୍ଗା ସୃଷ୍ଟି କରିଥିଲେ କିଛି ବିଶୃଙ୍ଖଳାକାରୀ।