ସୁପ୍ରିମକୋର୍ଟରେ ଟାରିଫ ନିୟମ ରଦ୍ଦ: ଟ୍ରମ୍ପଙ୍କ ଟାରିଫ ଲଗାଇବାର ଅଧିକାର ନାହିଁ
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଲଜ୍ଜାଜନକ କହି ବିଶ୍ୱର ସବୁ ଦେଶ ଉପରେ ଟାରିଫ ଲଗାଇଲେ ଟ୍ରମ୍ପ
ୱାଶିଂଟନ ଡିସି, ୨୧/୦୨: ଆମେରିକୀୟ ସୁପ୍ରିମକୋର୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ରଦ୍ଦ କରିଦେଇଛନ୍ତି। ଶୁକ୍ରବାର ଦିନ ଆମେରିକାର ସୁପ୍ରିମକୋର୍ଟ ତାଙ୍କ ରାୟରେ ବିଶ୍ୱର ବିଭିନ୍ନ ଦେଶ ଉପରେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ବିଶ୍ୱ ଶୁଳ୍କକୁ ଅବୈଧ ଘୋଷଣା କରିଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରଣୀତ ସଂଘୀୟ ଆଇନ ବ୍ୟବହାର କରି ଏତେ ବଡ଼ ବାଣିଜ୍ୟ ପ୍ରତିବନ୍ଧକ କିମ୍ବା ଶୁଳ୍କ ଲାଗୁ କରାଯାଇପାରିବ ନାହିଁ। ସଂଘୀୟ ଆଇନ ହେଉଛି ଏକ ଦେଶର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଆଇନ। ଏହି ଆଇନ ସାରା ଦେଶରେ ପ୍ରଯୁଜ୍ୟ ଏବଂ ପ୍ରତ୍ୟେକ ରାଜ୍ୟ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ। ଆମେରିକା ରାଷ୍ଟ୍ରପତିଙ୍କୁ ପାରିବ ଲଗାଇବାର ଅଧିକାର ନାହିଁ।
ସେପଟେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଲଜ୍ଜାଜନକ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୁପ୍ରିମକୋର୍ଟ ଆମର କଥା ଶୁଣି ନାହାଁନ୍ତି। କୋର୍ଟଙ୍କ ନିଷ୍ପତ୍ତି ନିରାଶାଜନକ। କୋର୍ଟ ଏକ ଲଜ୍ଜାଜନକ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ବିରୁଦ୍ଧରେ ଏକ ରାୟ ଦେଶର ଅର୍ଥନୀତିକୁ ବହୁତ କ୍ଷତି ପହଞ୍ଚାଇବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମୟରେ, ଟ୍ରମ୍ପ ଉଭୟ ଦଳର ପ୍ରାୟ ୨୪ ଜଣ ରାଜ୍ୟପାଳ, ଡେମୋକ୍ରାଟ ଏବଂ ରିପବ୍ଲିକାନଙ୍କ ସହିତ ବ୍ୟକ୍ତିଗତ ବୈଠକ କରୁଥିଲେ। ସର୍ବସମ୍ମତ ନିଷ୍ପତ୍ତି ବିଷୟରେ ଅବଗତ ହେବା ପରେ, ସେ ଏହାକୁ “ଲଜ୍ଜାଜନକ” ବୋଲି ବର୍ଣ୍ଣନା କରିଥିଲେ।
ଏହାପରେ ଟ୍ରମ୍ପ ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ଶୁଳ୍କ ବୃଦ୍ଧି ଘୋଷଣା କରିଥିଲେ। ସେ କହିଥିଲେ, “ମୋ ପାଖରେ ଶୁଳ୍କ ଉପରେ ଅଧିକ ବିକଳ୍ପ ଅଛି। ଏବେ ମୁଁ ଆହୁରି ଅଧିକ ଶୁଳ୍କ ଲଗାଇପାରିବି। ଆମେରିକାର ଅର୍ଥନୈତିକ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ବିରୋଧୀଙ୍କ ଚାପରେ ସୁପ୍ରିମକୋର୍ଟ ଆସିଥିଲେ। ମୁଁ ଅନ୍ୟ ରାଷ୍ଟ୍ରପତିଙ୍କ ତୁଳନାରେ ଭଲ ନିଷ୍ପତ୍ତି ନେଇଥିଲି। ମୁଁ ଆମେରିକାକୁ କୋଟି କୋଟି ଡଲାର ଲାଭ ଦେଇଛି। ମୁଁ ଆମେରିକାକୁ ସୁରକ୍ଷା ଦେବା ପାଇଁ ଆହୁରି ଅଧିକ ଶୁଳ୍କ ଲଗାଇପାରିବି।” ଟ୍ରମ୍ପ କହିଛନ୍ତି ଯେ ୧୦ ପ୍ରତିଶତ ବିଶ୍ୱବ୍ୟାପୀ ଶୁଳ୍କ ଲାଗୁ କରାଯିବ।
୧୯୭୪ର ବାଣିଜ୍ୟ ଆଇନର ଧାରା ୩୦୧ ଅନୁଯାୟୀ, ଟ୍ରମ୍ପ ଅନୁଚିତ ବାଣିଜ୍ୟ ଅଭ୍ୟାସକୁ ଉଲ୍ଲେଖ କରି ଶୁଳ୍କ ଲାଗୁ କରିପାରିବେ। ଏହି ଧାରା ପୂର୍ବରୁ ଚୀନ ଉପରେ ବ୍ୟବହାର କରାଯାଇଛି।