ନଦୀକୁ ଖସିଲା ବସ୍: ୧୮ ଯାତ୍ରୀ ମୃତ

୩ ବିଦେଶୀ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

କାଠମାଣ୍ଡୁ, ୨୩/୦୨: ନେପାଳର ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତି ନେପାଳର ଧାଡିଂ ଜିଲ୍ଲାର ଗଜୁରୀ ନିକଟରେ ଏକ ଯାତ୍ରୀବାହୀ ବସ୍ ତ୍ରିଶୂଳୀ ନଦୀକୁ ଖସି ପଡ଼ିବାରୁ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ରାତି ପ୍ରାୟ ୧ଟା ୩୦ ସମୟରେ କାଠମାଣ୍ଡୁରୁ ପ୍ରାୟ ୯୦ କିଲୋମିଟର ପଶ୍ଚିମରେ ପୃଥ୍ୱୀ ରାଜପଥରେ ପୋଖରାରୁ କାଠମାଣ୍ଡୁ ଆସୁଥିବା ବସ୍ ଟି ତ୍ରିଶୂଳୀ ନଦୀକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା।

ନେପାଳ ସଶସ୍ତ୍ର ପୋଲିସ ବାହିନୀର ମୁଖପାତ୍ର ବିଷ୍ଣୁ ପ୍ରସାଦ ଭଟ୍ଟା କହିଛନ୍ତି ଯେ ଦୁର୍ଘଟଣାସ୍ଥଳରୁ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ବସ୍‌ରୁ ୨୮ ଜଣ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଆହତ ଯାତ୍ରୀମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ନେପାଳ ସେନା, ସଶସ୍ତ୍ର ପୋଲିସ ବାହିନୀ ଏବଂ ନେପାଳ ପୋଲିସର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଜଣେ ନ୍ୟୁଜିଲ୍ୟାଣ୍ଡ ପୁରୁଷ ଯାତ୍ରୀ ଅଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଜାପାନୀ ଏବଂ ଜଣେ ଡଚ୍ ମହିଳା ନାଗରିକ ଅଛନ୍ତି। ଯଦିଓ ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, ପୋଲିସ କହିଛି ଯେ ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ।