ମେକ୍ସିକୋ, ୨୩/୦୨: ଜଳୁଛି ମେକ୍ସିକୋ। ପ୍ରତିବାଦକାରୀମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିଛନ୍ତି। କାର୍ଟେଲ ନେତା ଏଲ୍ ମେଞ୍ଚୋଙ୍କ ସମର୍ଥକମାନେ ରାଜରାସ୍ତାରେ ଜୋରଦାର ଆନ୍ଦୋଳନ କରୁଛନ୍ତି। ମେକ୍ସିକୋରେ ଏକ ସାମରିକ ଅଭିଯାନରେ ବିଶ୍ୱର ସବୁଠାରୁ ବଡ଼ ଡ୍ରଗ୍ସ ଚାଲାଣକାରୀଙ୍କ ମଧ୍ୟରୁ ଜଣେ ଏଲ୍ ମେଞ୍ଚୋଙ୍କ ମୃତ୍ୟୁ ହୋଇଥିବାର ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର ଘୋଷଣା କରିଥିଲା। ଯାହା ପରେ ତାଙ୍କ ସମର୍ଥକମାନେ ଏଭଳି ପ୍ରତିବାଦ କରିବା ଆରମ୍ଭ କରିଛନ୍ତି।
ନେମେସିଓ ରୁବନ୍ ଓସେଗୁଏରା ସର୍ଭାଣ୍ଟେସ୍ ନାମରେ ଜଣାଶୁଣା ଏଲ୍ ମେଞ୍ଚୋଙ୍କ ମୃତ୍ୟୁ ହିଂସାର ଲହରୀ ସୃଷ୍ଟି କରିଛି। ଜାଲିସ୍କୋ ସମେତ ମେକ୍ସିକୋର ଅନେକ ସ୍ଥାନରେ କାର ପୋଡ଼ି ଦିଆଯିବା ସହ ବନ୍ଧୁକଧାରୀମାନେ ରାଜପଥ ଅବରୋଧ କରିଛନ୍ତି। ରାଜ୍ୟର ରାଜଧାନୀ ଗୁଆଡାଲାଜାରାରେ, ଯାନବାହାନ ଜାଳି ରାସ୍ତା ଅବରୋଧ କରିଥିଲେ।
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପଳାତକ ଡ୍ରଗ୍ସ ମାଷ୍ଟର ପଶ୍ଚିମ ରାଜ୍ୟ ଜାଲିସ୍କୋରେ ଏକ ସାମରିକ ଚଢାଉ ସମୟରେ ଗୁଳିମାଡ଼ରେ ଆହତ ହୋଇ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ ମେକ୍ସିକୋ ସିଟିକୁ ବିମାନ ଯୋଗେ ସ୍ଥାନାନ୍ତର ସମୟରେ ତାଙ୍କର ମୃତ୍ୟୁ ହୋଇଛି।
ଏଲ୍ ମେଞ୍ଚୋଙ୍କ ଅପରାଧିକ ସଂଗଠନ, ଜାଲିସ୍କୋ ନ୍ୟୁ ଜେନେରେସନ୍ କାର୍ଟେଲ୍ (CJNG), ଗତ ଦଶନ୍ଧି ମଧ୍ୟରେ ମେକ୍ସିକୋର ସବୁଠାରୁ ଶକ୍ତିଶାଳୀ ସଂଗଠିତ ଅପରାଧ ସିଣ୍ଡିକେଟ୍ ଭାବରେ ବୃଦ୍ଧି ପାଇଛି ଏବଂ ଆମେରିକାକୁ ଅବୈଧ ଡ୍ରଗ୍ସର ଏକ ପ୍ରମୁଖ ଚାଲାଣକାରୀ ଭାବରେ ମଧ୍ୟ ଉଭା ହୋଇଛି।
ବିଶୃଙ୍ଖଳା ଦେଖାଦେବା ପରେ, ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ ଏକ X ପୋଷ୍ଟରେ କହିଛନ୍ତି ଯେ ସଂଘୀୟ ସରକାର ରାଜ୍ୟ ସରକାରଙ୍କ ସହିତ ସମ୍ପୂର୍ଣ୍ଣ ସମନ୍ୱୟ ବଜାୟ ରଖିଛି।
ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ଜାଲିସ୍କୋର ରାଜ୍ୟପାଳ ପାବ୍ଲୋ ଲେମସ୍ ନାଭାରୋ ସ୍ଥାନୀୟ ବାସିନ୍ଦାଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ନିଶା କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଆହୁରି ତୀବ୍ର କରିବା ପାଇଁ ସେନବାଉମଙ୍କ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଗତ ବର୍ଷ ଟ୍ରମ୍ପ ପ୍ରଶାସନ ଦ୍ୱାରା CJNGକୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରାଯାଇଥିଲା।
ଏଲ୍ ମେଞ୍ଚୋଙ୍କୁ ଉତ୍ତର ଆମେରିକାରେ ଡ୍ରଗ୍ସ ଚାଲାଣ କରିବା ଅଭିଯୋଗରେ ତାଙ୍କ ବିଷୟରେ ପୋଲିସକୁ ସୂଚନା ଦେବା ପାଇଁ ସୂଚନା ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।